Fact Check: କଣ, ଏହି କଲେଜରେ ଝିଅଙ୍କର ବୟଫ୍ରେଣ୍ଡ ରହିବା ବାଧ୍ୟତାମୂଳକ ?
ସୋସିଆଲ ମିଡିଆରେ ଚେନ୍ନାଇ ନିକଟ କାଟାନକୁଲାଥୁର ସ୍ଥିତ SRM ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଏବଂ ଆଗ୍ରା ସ୍ଥିତ ସେଣ୍ଟ ଜନ୍ କଲେଜକୁ ନେଇ ଦୁଇଟି ବିଚିତ୍ର ସର୍କୁଲାର ପ୍ରସାରିତ ହେଉଛି ।
ନୂଆଦିଲ୍ଲୀ: ଆସୁଛି ଭାଲେଣ୍ଟାଇନ୍ସ ଡେ । ଯୁବପିଢୀଙ୍କ ମଧ୍ୟରେ ଏହି ଦିନଟିକୁ ନେଇ ଖୁବ ଉତ୍ସାହ ରହିଥାଏ । ସୋସିଆଲ ମିଡିଆରେ ବିଭିନ୍ନ ମିମ୍ ଓ ଭାଲେଣ୍ଟାଇନ୍ସ ଡେ ଶୁଭେଚ୍ଛା ଭାଇରାଲ ହୋଇଥାଏ । ତେବେ କିଛି ଦିନ ହେଲା ଏମିତି ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଯୁବବର୍ଗରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି ।

କଣ ଏହି ଖବର:
ସୋସିଆଲ ମିଡିଆରେ ଚେନ୍ନାଇ ନିକଟ କାଟାନକୁଲାଥୁର ସ୍ଥିତ SRM ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଏବଂ ଆଗ୍ରା ସ୍ଥିତ ସେଣ୍ଟ ଜନ୍ କଲେଜକୁ ନେଇ ଦୁଇଟି ବିଚିତ୍ର ସର୍କୁଲାର ପ୍ରସାରିତ ହେଉଛି । ଏଥିରେ ଦାବି କରାଯାଇଛି ଯେ, କଲେଜର ନୂତନ ନିୟମ ଅନୁଯାୟୀ ସମସ୍ତ ଛାତ୍ରୀଙ୍କ ପାଇଁ ପ୍ରେମିକା (ବୟଫ୍ରେଣ୍ଡ) ରହିବା ବାଧ୍ୟତାମୂଳକ ଅଟେ । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ଏଥିରେ ଉଲ୍ଲେଖ ରହିଛି ।

ତେବେ ସିଙ୍ଗିଲ ଥିବା ଛାତ୍ରୀମାନଙ୍କୁ ଭାଲେଣ୍ଟାଇନ୍ସ ଡେ ଦିନ କଲେଜ ପରିସର ଭିତରକୁ ଯିବାକୁ ଦିଆଯିବ ନାହିଁ । କ୍ୟାମ୍ପସରେ ପ୍ରବେଶ କରିବା ସମୟରେ ସେମାନଙ୍କୁ ନିଜ ପ୍ରେମିକ ସହିତ ନିକଟରେ ଏକ ଫଟୋ ଦେଖାଇବାକୁ ପଡିବ ।
ଖବର କେତେ ସତ (Fact Check) ?
ତେବେ ଆମେ ଏହି ଖବରଟିର ପୋଷ୍ଟମଟମ କରିଥିଲୁ । ଖବର ପଛର ସତ୍ୟାସତ୍ୟତା ପରଖିବା ପାଇଁ ଆମେ ଉଭୟ ଏସଆରଏମ ଏବଂ ସେଣ୍ଟ ଜନ୍ସ କଲଜର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିଥିଲୁ । ମାତ୍ର ଉଭୟ କଲେଜର ୱେବସାଇଟର ଏପରି କୌଣସି ସର୍କୁଲାର ଉପଲବ୍ଧ ନାହିଁ । ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସର୍କୁଲାର ଫଟୋରେ ଉଭୟ କଲେଜର ଲୋଗୋ ଏବଂ ଦସ୍ତଖତ ରହିଛି । ଫଳରେ କେହି ଦୁର୍ବୃତ୍ତ ଏମିତି ନକଲି ସର୍କୁଲାର ଭାଇରାଲ କରଥିବା ସ୍ପଷ୍ଟ ହେଉଛି ।
ପରେ SRM ଏକ ସ୍ପଷ୍ଟୀକରଣ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ SRM ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (SRMIST) ଏପରି କୌଣସି ସର୍କୁଲାର ଜାରି କରିନାହିଁ । ହ୍ୱାଟ୍ସଆପରେ ଭାଇରାଲ ହେଉଥିବା ଏହି ସର୍କୁଲାର ଫେକ ଅଟେ ।

ସେହିପରି ସେଣ୍ଟ ଜନ୍ କଲେଜ ମଧ୍ୟ ସର୍କୁଲାରକୁ ନକଲି ବୋଲି କହିଛି । ଏକ ଫେସବୁକ୍ ପୋଷ୍ଟରେ କଲେଜ କହିଛି ଯେ କଲେଜର ଏକ ନକଲି ଚିଠି ଉପରେ ଏକ ନକଲି ବିଜ୍ଞପ୍ତି ଇଣ୍ଟରନେଟରେ ପ୍ରଚାର କରାଯାଇଛି। କର୍ତ୍ତୃପକ୍ଷ ଏହା ଜାଣିଛନ୍ତି ଏବଂ ପୋଲିସର ସାହାଯ୍ୟରେ ଭୁଲ୍ କରୁଥିବା ଲୋକଙ୍କୁ ଦଣ୍ଡିତ କରିବେ। ଛାତ୍ରମାନଙ୍କୁ ଏଠାରେ ସୂଚିତ କରାଯାଇଛି ଯେ ସେମାନେ ଏପରି ଘୃଣ୍ୟ କାର୍ଯ୍ୟକଳାପକୁ ଅଣଦେଖା କରିବା ଉଚିତ । ନକଲି ଚିଠି ଉପରେ ପ୍ରିନ୍ସିପାଲଙ୍କ ଦସ୍ତଗତ ନିମ୍ନରେ ପ୍ରକାଶିତ ହୋଇଛି ।












Click it and Unblock the Notifications