ଶୌଚାଳୟ ସଫା କରିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ,ଜାଣନ୍ତୁ କାରଣ....
ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଧାର୍ମିକ ଅସଦାଚାରଣ ମାମଲାରେ ବଡ଼ ଦଣ୍ଡ ମିଳିଛି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ରାମ ରହୀମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତାଖ୍ତଙ୍କ ଦ୍ୱାରା 'ତନଖୈୟା' (ଧାର୍ମିକ ଅସଦାଚାରଣରେ ଦୋଷୀ) ଘୋଷିତ କରାଯାଇଥିଲା।
'ଅକାଳ ତଖତ'ର ଜଥେଦାର ଜ୍ଞାନୀ ରଘୁବୀର ସିଂହ ସଜା ଶୁଣାଇବା ସହ ବାଦଲଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଓ ଶୌଚାଳୟ ସଫେଇ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ତାଙ୍କୁ ପଞ୍ଚ ସିଂହ ସାହିବଙ୍କ ଘର ବାହାରେ ସକାଳେ ଘଣ୍ଟାଏ ସେବାଦାରୀ କାମ ମଧ୍ୟ ଦେଇଛନ୍ତି। 'ଅକାଳ ତଖତ' ସଜା ଶୁଣାଇ ବାଦଲଙ୍କୁ ନିର୍ଦେଶ ଦେଇଛନ୍ତି, ତାଙ୍କୁ ସଜା ସମୟରେ ପ୍ରତିଦିନ ଗୁରୁଦ୍ବାରରେ କୀର୍ତ୍ତନ ଶୁଣିବାକୁ ହେବ।

ନିଜ କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ ଡେରା ସଚ୍ଚା ସୌଦାର ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାର ଅଭିଯୋଗ ମଧ୍ୟ ରହିଛି। ସୁଖବୀର ଗୋଲ୍ଡେନ୍ ଟେମ୍ପଲରେ ପଞ୍ଚ ସିଂହ ସହିବାନୋଙ୍କ ଆଗରେ ନିଜ ଭୁଲ ସ୍ବୀକାର କରିଛନ୍ତି। ସୁଖବୀର ସିଂହ ବାଦଲ କିଛି ଦିନ ପୂର୍ବରୁ ହିଁ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ସଜା ଘୋଷଣା କରି ଜଥେଦାର ଜ୍ଞାନୀ ରଣବୀର ସିଂହ ଶିରୋମଣି ଅକାଳୀ ଦଳକୁ ନିର୍ଦେଶ ଦେଇଛନ୍ତି ସେ ତିନି ଦିନ ଭିତରେ ତାଙ୍କର ଇସ୍ତଫା ସ୍ବୀକାର କରି ପାର୍ଟିରେ ନୂଆ ଅଧ୍ୟକ୍ଷ ପାଇଁ ଆଗାମୀ ୬ ମାସ ଭିତରେ ନିର୍ବାଚନ ଶେଷ କରନ୍ତୁ।
ବାସ୍ତବରେ, ୨୦୦୭ରେ ସାଲାବତପୁରାରେ, ଗୁରୁ ଗୋବିନ୍ଦ ସିଂହଙ୍କ ପରମ୍ପରାକୁ ଅନୁସରଣ କରି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ତାଙ୍କ ପରି ବେଶଭୂଷା ପରିଧାନ କରି ଅମୃତ ଛିଞ୍ଚିବାର ଅଭିନୟ କରିଥିଲେ। ଏ ସମ୍ପର୍କରେ ରାମ ରହୀମଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ରାମ ରହୀମଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅକାଳୀ ସରକାର ତାଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରି ନେଇଥିଲେ।
ସେତେବେଳେ ଅକାଲ ତଖ୍ତ ସାହିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାମ ରହୀମଙ୍କୁ ଶିଖ ଧର୍ମରୁ ବହିଷ୍କାର କରିଥିଲେ। ସୁଖବୀର ବାଦଲ ନିଜ କ୍ଷମତାର ଅପବ୍ୟବହାର କରି ଗୁରୁମିତ ରାମ ରହୀମଙ୍କୁ ଦଣ୍ଡ ଦେବା ବଦଳରେ କ୍ଷମା କରିଦେଇଥିଲେ ବୋଲି କୁହାଯାଇଥିଲା। ଏହାପରେ ଅକାଳୀ ଦଳ ଏବଂ ଶିରୋମଣି କମିଟିକୁ ଶିଖ ସମ୍ପ୍ରଦାୟର କ୍ରୋଧ ଏବଂ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିଥିଲା। ଶେଷରେ ରାମ ରହୀମଙ୍କୁ କ୍ଷମା ଦେବା ନିଷ୍ପତ୍ତି ଅକାଲ ତଖ୍ତ ସାହିବ ପ୍ରତ୍ୟାହାର କରିଥିଲେ ଏବଂ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କୁ ଏହାର ଉତ୍ତରଦାୟୀ କରିଥିଲେ।












Click it and Unblock the Notifications