ପୂର୍ବତନ ପଞ୍ଜାବ ଡିଜିପିଙ୍କ ବିରୋଧରେ ପୁତ୍ରହତ୍ୟା ମାମଲା
ପୂର୍ବତନ ପଞ୍ଜାବ ଡିଜିପି ମହମ୍ମଦ ମୁସ୍ତଫା ଏବଂ ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ରେଜିଆ ସୁଲତାନାଙ୍କ ସମେତ ଚାରି ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ମୁସ୍ତଫାଙ୍କ ପୁଅ ଆକିଲ ଅଖ୍ତରଙ୍କୁ ହତ୍ୟା ଏବଂ ଷଡ୍ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଛି। ୩୫ ବର୍ଷୀୟ ଆକିଲଙ୍କ ମୃତଦେହ ପଞ୍ଚକୁଳାର ମନ୍ସା ଦେବୀ କମ୍ପ୍ଲେକ୍ସ ସେକ୍ଟର ୪ରେ ଥିବା ନିଜ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।
ପରିବାର ଲୋକେ ତାଙ୍କୁ ସେକ୍ଟର ୬ର ସରକାରୀ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭରେ ପରିବାର ଏହାକୁ ଔଷଧ ଓଭରଡୋଜ୍ ବୋଲି ଦାବି କରିଥିଲେ ଏବଂ ପୋଷ୍ଟମର୍ଟମ୍ ପରେ ଉତ୍ତରପ୍ରଦେଶର ସାହରଣପୁର ଜିଲ୍ଲାର ହର୍ଡା ଖେରି ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଆକିଲଙ୍କ ପତ୍ନୀ , ୫ ବର୍ଷର ପୁଅ ଏବଂ ୭ ବର୍ଷର ଝିଅ ଅଛନ୍ତି।

ଆକିଲ ଗତ ଅଗଷ୍ଟ ୨୭ ତାରିଖରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ୧୬ ମିନିଟର ଭିଡିଓରୁ ହତ୍ୟାର ସୁରାକ୍ ମିଳିଥିଲା, ଯେଉଁଥିରେ ସେ ପରିବାର ସଦସ୍ୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ। ଆକିଲ ଦାବି କରିଥିଲେ ଯେ ୨୦୧୮ରୁ ତାଙ୍କ ପିତା ମହମ୍ମଦ ମୁସ୍ତଫା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ସେ ଜାଣିପାରିଥିଲେ।
ସେ ଆହୁରି କହିଥିଲେ ଯେ ତାଙ୍କ ମାଆ ରେଜିଆ ସୁଲତାନା ଏବଂ ଭଉଣୀ ତାଙ୍କୁ ସମର୍ଥନ କରିବା ବଦଳରେ ହତ୍ୟା କରିବା କିମ୍ବା ମିଥ୍ୟା ମାମଲାରେ ଫସାଇବା ପାଇଁ ଷଡ୍ଯନ୍ତ୍ର କରୁଛନ୍ତି। ସେ ନିଜକୁ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ବୋଲି କହିଥିଲେ, ଏବଂ ପରିବାର ତାଙ୍କୁ ମାନସିକ ଅସୁସ୍ଥ ବୋଲି ଘୋଷଣା କରି ବ୍ୟବସାୟ ଆୟରୁ ବଞ୍ଚିତ କରିଥିଲେ। ଆକିଲଙ୍କ ମୃତ୍ୟୁ ପରେ ଏହି ଭିଡିଓ ଏବଂ ଏକ ଡାଏରିର ସ୍କ୍ରିନସଟ୍ ଭାଇରାଲ୍ ହୋଇଥିଲା।
ପଞ୍ଜାବର ମାଲେରକୋଟଲାର ବାସିନ୍ଦା ଶମ୍ସୁଦ୍ଦିନ ଚୌଧୁରୀଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୨୦ରେ ପଞ୍ଚକୁଳାର ଏମ୍ଡିସି ଥାନାରେ ଏଫଆଇଆର୍ ରୁଜୁ ହୋଇଛି। ଅଭିଯୋଗକୁ ହରିୟାଣା ଡିଜିପି ଏବଂ ମୁଖ୍ୟମନ୍ତ୍ରୀ ନୟାବ ସିଂହ ସୈନୀଙ୍କୁ ମଧ୍ୟ ପଠାଯାଇଥିଲା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) (ହତ୍ୟା) ଏବଂ ୬୧ (ଷଡ୍ଯନ୍ତ୍ର) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛି, ଯାହାକୁ ଜଣେ ଏସିପି ରୢାଙ୍କ୍ ଅଧିକାରୀ ତତ୍ତ୍ୱାବଧାନ କରୁଛନ୍ତି। ଡିସିପି ସୃଷ୍ଟି ଗୁପ୍ତା କହିଛନ୍ତି, ଏହି ତଦନ୍ତ ପୂର୍ଣ୍ଣ ନିରପେକ୍ଷ ଏବଂ ପ୍ରମାଣଭିତ୍ତିକ ହେବ, ଯାହାଫଳରେ କୌଣସି ଦୋଷୀ ରକ୍ଷା ପାଇବେ ନାହିଁ। ଭିସେରା ନମୁନାକୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଥିବା ସେ କହିଛନ୍ତି।
ମହମ୍ମଦ ମୁସ୍ତଫା ୧୯୮୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଥିଲେ ଏବଂ ୨୦୨୧ରେ ଅବସର ନେବା ପରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ରେଜିଆ ସୁଲତାନା ମାଲେରକୋଟଲାରୁ ତିନିଥର ବିଧାୟିକା ନିର୍ବାଚିତ ହୋଇଥିଲେ ଏବଂ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ।












Click it and Unblock the Notifications