ଉମର ଖାଲିଦ ମାମଲାରେ ପୂର୍ବତନ CJI ଙ୍କ ବଡ଼ ବୟାନ
ପ୍ରତ୍ୟେକ ଅଭିଯୁକ୍ତଙ୍କ ପାଇଁ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜାମିନ୍ ଏକ ଅଧିକାର ହେବା ଉଚିତ। ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଉମର ଖାଲିଦଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ୍ ପ୍ରତ୍ୟାଖ୍ୟାନ ଉପରେ ଏଭଳି କିଛି କହିଛନ୍ତି ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼। ରବିବାର ଜୟପୁର ସାହିତ୍ୟ ମହୋତ୍ସବରେ ବରିଷ୍ଠ ସାମ୍ବାଦିକ ବୀର ସାଂଘଭିଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି ପୂର୍ବତନ ସିଜେଆଇ।
ପୂର୍ବତନ ମୁଖ୍ୟ ବିଚାରପତି କହିଛନ୍ତି ଯେ ଭାରତୀୟ ଆଇନର ମୂଳଦୁଆ ହେଉଛି ନିର୍ଦ୍ଦୋଷ ହେବାର ଅନୁମାନ। ଯଦି ଜଣେ ବ୍ୟକ୍ତି ପାଞ୍ଚ କିମ୍ବା ସାତ ବର୍ଷ ଜେଲରେ ବିତାଇ ପରେ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ତେବେ ହରାଇଥିବା ବର୍ଷଗୁଡ଼ିକର କ୍ଷତିପୂରଣ ଦିଆଯାଇପାରିବ ନାହିଁ। ଜାମି କେବଳ ସେତେବେଳେ ରୋକି ହେବ ଯେତେବେଳେ ଅଭିଯୁକ୍ତ ଅପରାଧ ପୁଣିଥରେ କରେ,କିନ୍ତୁ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରେ।
ପୂର୍ବତନ CJI କହିଛନ୍ତି ଯେ ଯେଉଁଠାରେ ଜାତୀୟ ସୁରକ୍ଷା ଜଡିତ, କୋର୍ଟକୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ନଚେତ୍, ଲୋକମାନେ ବର୍ଷ ବର୍ଷ ଧରି ଜେଲରେ ରହିବେ। ଜିଲ୍ଲା ଏବଂ ସେସନ୍ସ କୋର୍ଟ ଦ୍ୱାରା ଜାମିନ୍ ପ୍ରତ୍ୟାଖ୍ୟାନକୁ ସେ ଚିନ୍ତାର କାରଣ ବୋଲି କହିଛନ୍ତି। ଏହି କାରଣରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥାଏ।

ପୂର୍ବତନ ମୁଖ୍ୟ ବିଚାରପତି କହିଛନ୍ତି, ମାମଲା ସମାଧାନରେ ବିଳମ୍ବ ଭାରତୀୟ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଏକ ପ୍ରମୁଖ ସମସ୍ୟା। ଯଦି ନ୍ୟାୟିକ ପ୍ରକ୍ରିୟା ବିଳମ୍ବ ହୁଏ, ତେବେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଉଚିତ। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଉଲ୍ଲେଖ କରିଥିଲେ, ଯେପରିକି ସଶସ୍ତ୍ର ବାହିନୀରେ ମହିଳାମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା, ସମଲିଙ୍ଗୀତାକୁ ଅପରାଧମୁକ୍ତ କରିବା ଏବଂ ନିର୍ବାଚନୀ ବଣ୍ଡ ଯୋଜନାକୁ ପ୍ରତ୍ୟାହାର କରିବା।
ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଛନ୍ତି ଯେ, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ସିଭିଲ ସୋସାଇଟିର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତିରେ ସାମିଲ କରାଯିବା ଉଚିତ। ସେ କହିଥିଲେ ଯେ ବୈବାହିକ ଦୁଷ୍କର୍ମ ଏପର୍ଯ୍ୟନ୍ତ ଅପରାଧ ହୋଇନାହିଁ, ଯାହାକୁ ସୁଧାରିବା ଆବଶ୍ୟକ। ଏହା ଛଡା ସେ କହିଛନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟର କାର୍ଯ୍ୟର ସିଧା ପ୍ରସାରଣ ଆରମ୍ଭ କରିଥିଲେ, ଯାହା କେବଳ ହିନ୍ଦୀରେ ନୁହେଁ ବରଂ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ତାଲିକାଭୁକ୍ତ ସମସ୍ତ ଭାରତୀୟ ଭାଷାରେ ଉପଲବ୍ଧ। ପୂର୍ବତନ ମୁଖ୍ୟ ବିଚାରପତି କହିଛନ୍ତି, ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ଉପଭୋଗ କରୁଛନ୍ତି ଏବଂ କୌଣସି ପଦବୀ ଗ୍ରହଣ କରନ୍ତି ନାହିଁ।












Click it and Unblock the Notifications