ଭାରତରେ ଚାଲିବ ଏଲନ ମସ୍କଙ୍କ ଇଣ୍ଟରନେଟ୍
ଭାରତରେ ହାଇ-ସ୍ପିଡ୍ ସାଟେଲାଇଟ୍ ଇଣ୍ଟରନେଟ୍ କ୍ଷେତ୍ରରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ଇଣ୍ଟରନେଟ୍ ସର୍ଭିସ୍ ପ୍ରଦାନ ଆରମ୍ଭ କରିବ ଏଲନ ମସ୍କଙ୍କ ଷ୍ଟାରଲିଙ୍କ । ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଷ୍ଟାରଲିଙ୍କକୁ ଭାରତ ସରକାରଙ୍କଠାରୁ ମିଳିଛି ଚୂଡ଼ାନ୍ତ ଅନୁମତି ।

ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ଅନୁମୋଦନ କେନ୍ଦ୍ର, ଇନ୍-ସ୍ପେସ ଆଗାମୀ ପାଞ୍ଚ ବର୍ଷ ଲାଗି ଭାରତରେ ବାଣିଜ୍ୟକ କାରବାର କରିବା ପାଇଁ ଷ୍ଟାରଲିଙ୍କକୁ ଲାଇସେନ୍ସ ପ୍ରଦାନ କରିଛି। ୟୁ-ଟେଲସାଟର ଓ୍ଵାନଓ୍ଵେବ୍ ଏବଂ ରିଲାଏନ୍ସ ଜିଓ ପରେ ଷ୍ଟାର ଲିଙ୍କ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ଅନୁମୋଦନ ପାଇଥିବା ତୃତୀୟ କମ୍ପାନୀ । ଷ୍ଟାରଲିଙ୍କକୁ ଦେଶରେ ତା'ର ଜେନ୍-୧ ସାଟେଲାଇଟ୍ କନଷ୍ଟେଲେସନ୍ ବ୍ୟବହାର କରିବାକୁ ଅନୁମତି ମିଳିଛି । ଏହି ଅନୁମତି ୭ ଜୁଲାଇ ୨୦୩୦ ପର୍ଯ୍ୟନ୍ତ ବୈଧ ରହିବ।
ଅନୁମତି ସତ୍ବେ ଷ୍ଟାରଲିଙ୍କ ତୁରନ୍ତ ଭାରତରେ ବାଣିଜ୍ୟକ ସେବା ଆରମ୍ଭ କରିବ ନାହିଁ ବୋଲି ସୂଚନା ରହିଛି । କାରଣ ଷ୍ଟାରଲିଙ୍କକୁ ତାର ଭିତ୍ତିଭୂମି ସ୍ଥାପନ ସହ ସରକାରଙ୍କଠାରୁ ସ୍ପେକ୍ଟ୍ରମ୍ ହାସଲ କରିବାକୁ ପଡିବ। ଏହାସହ ଷ୍ଟାର ଲିଙ୍କ ତାର ପରୀକ୍ଷଣ ଓ ଟ୍ରାଏଲ ଜରିଆରେ, ଇନ୍-ସ୍ପେସ ଦ୍ୱାରା ଧାର୍ଯ୍ୟ ସୁରକ୍ଷା ମାନଦଣ୍ଡ ପୂରଣ କରୁଛି କି ନାହିଁ ତାର ପ୍ରମାଣ ଦେବାକୁ ପଡିବ । ଚଳିତ ବର୍ଷର ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷରେ ଷ୍ଟାରଲିଙ୍କ ଭାରତରେ ସେବା ଆରମ୍ଭ କରିବା ସମ୍ଭାବନା ରହିଛି । ବିଶ୍ୱରେ ପ୍ରାୟ ୧୦୦ଟି ଦେଶରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ପ୍ରଦାନ କରୁଛି । ଏବେ ଭାରତରେ ଆରମ୍ଭ କରିବ ।












Click it and Unblock the Notifications