ରଥଯାତ୍ରାରେ ହାତୀର ଉତ୍ପାତ, ଜଣେ ଆହତ
ରଥଯାତ୍ରାରେ ଅଘଟଣ। ରଥଟଣା ବେଳେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିବା ହାତୀଙ୍କ ମଧ୍ୟରୁ ଗୋଟିଏ ହଠାତ୍ ବିରକ୍ତ ହୋଇ ବ୍ୟାରିକେଡ୍ ଭାଙ୍ଗି ଦୌଡ଼ିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ହାତୀଟିକୁ ଅଳ୍ପ ସମୟ ମଧ୍ୟରେ କାବୁ କରି ନିଆଯାଇଥିଲା ଓ ଅଧିକ କିଛି କ୍ଷୟକ୍ଷତି ଘଟି ନଥିଲା। ଆଜି ଏହି ଘଟଣା ଘଟିଛି ଗୁଜରାଟର ଅହମଦାବାଦରେ। ଏହାର କିଛି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।
ଏଠାରେ ଆଜି ଅନୁଷ୍ଠିତ ହୋଇଛି ୧୪୮ତମ ରଥଯାତ୍ରା। ଆଜି ସକାଳେ ଏଠାରେ ରଥଟଣା ଆରମ୍ଭ ହୋଇଥିଲା। ଏହି ଅବସରରେ ୪୦୦ ବର୍ଷର ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବଡ଼ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା। ଏଥିରେ ୧୭ଟି ହାତୀ, ୧୦୦ଟି ଟ୍ରକ ଓ ୩୦ଟି ଆଖଡ଼ା ସାମିଲ ହୋଇଥିଲେ। ୧୭ଟି ହାତୀ ମଧ୍ୟରୁ କେବଳ ଗୋଟିଏ ଦନ୍ତା ହାତୀ ଥିଲା।

ଯେତେବେଳେ ଶୋଭାଯାତ୍ରା ଖାଡ଼ିୟା ଗେଟ୍ ପାଖରେ ପହଞ୍ଚିଥିଲା ସେତେବେଳେ ଦନ୍ତା ହାତୀଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ମାହୁନ୍ତ ହାତୀଟିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ବିଫଳ ହୋଇଥିଲେ। ହାତୀଟି ରାସ୍ତାରେ ଉପସ୍ଥିତ ଲୋକଙ୍କ ଆଡ଼କୁ ମାଡ଼ି ଯାଇଥିଲା ଓ ବ୍ୟାରିକେଡ୍ ଭାଙ୍ଗି ଏକ ଗଳିରେ ରାସ୍ତାରେ ଦୌଡ଼ି ଥିଲା।
ଦୁଇ ଜଣ ମାହୁନ୍ତ ଆଉ ଦୁଇଟି ହାତୀ ପିଠିରେ ବସି ଦନ୍ତାକୁ ପିଛା କରିଥିଲେ। ସେମାନଙ୍କ ସହିତ ବନ ବିଭାଗ କର୍ମଚାରୀମାନେ ମଧ୍ୟ ଦନ୍ତାଟିକୁ କାବୁ କରିବାକୁ ପ୍ରୟାସ କରିଥିଲେ। ଅଳ୍ପ ସମୟ ମଧ୍ୟରେ ଦନ୍ତାଟିକୁ କାବୁ କରାଯାଇଥିଲା ଓ ଶୋଭାଯାତ୍ରା ଆଗକୁ ବଢ଼ିଥିଲା।
କାଂକରିୟା ପ୍ରାଣୀ ଉଦ୍ୟାନର ଅଧୀକ୍ଷକ ଆରକେ ସାହୁ କହିଛନ୍ତି, ଜୋରରେ ଗୀତ ବାଜୁଥିବାରୁ ହାତିଟି ବିରକ୍ତ ହୋଇଯାଇଥିଲା। ସେଥିପାଇଁ ସେ ହଠାତ୍ ଦୌଡ଼ିବାକୁ ଆରମ୍ଭ କରିଥିଲା ଓ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବାର ଥିଲା, ସେଠାରୁ ଅନ୍ୟ ରାସ୍ତାକୁ ପଳାଇଥିଲା। ତେବେ ତାଙ୍କୁ ଅଳ୍ପ ସମୟ ମଧ୍ୟରେ ନିୟନ୍ତ୍ରଣକୁ ଅଣାଯାଇଥିଲା।
ସେଥିପାଇଁ ଟ୍ରାଙ୍କୁଲାଇଜରର ବି ଆବଶ୍ୟକତା ପଡ଼ି ନଥିଲା। ଦନ୍ତାକୁ ନିୟନ୍ତ୍ରଣକୁ ଆଣିବା ପରେ ଦୁଇଟି ମାଈ ହାତୀ ସହିତ ଏହାକୁ ବାନ୍ଧି ଦିଆଯାଇଥିଲା। ସେମାନଙ୍କୁ ଆଉ ଶୋଭାଯାତ୍ରାରେ ସାମିଲ କରାଯାଇନଥିଲା। ଶୋଭାଯାତ୍ରାରେ ସାମିଲ ହାତୀଙ୍କ ଉପରେ କାଂକରିୟା ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କ ସହିତ ବନବିଭାଗ ଓ ପ୍ରାଣୀ ଚିକିତ୍ସକମାନେ କଡ଼ା ନଜର ରଖିଥିଲେ।












Click it and Unblock the Notifications