ଏଣିକି ଶସ୍ତା ହେବ ବିଦ୍ୟୁତ୍ ବିଲ, ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ
New Electricity Rules: ବିଦ୍ୟୁତ୍ ବିଲ୍ ସମ୍ପର୍କରେ ଶୁକ୍ରବାର ଦିନ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ବିଦ୍ୟୁତର ସାଧାରଣ ହାର ଅପେକ୍ଷା ଦିନରେ ପ୍ରାୟ ୧୦-୨୦ ପ୍ରତିଶତ ହାରରେ ବିଦ୍ୟୁତ୍ ଉପଲବ୍ଧ ହୋଇପାରିବ ।
ବିଦ୍ୟୁତ୍ ଦର ସ୍ଥିର କରିବାକୁ ସରକାର 'ଟାଇମ୍ ଅଫ୍ ଡେ' (TOD) ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯଦି ଏହା ହୁଏ, ତେବେ ସାରା ଦେଶରେ ବିଦ୍ୟୁତ୍ ଉପଭୋକ୍ତାମାନେ ଦିନ ସମୟରେ ବିଦ୍ୟୁତ୍ ବ୍ୟବହାର କରି ବିଦ୍ୟୁତ୍ ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।

ବିଦ୍ୟୁତ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ ଭାରତ ସରକାର ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ବିଜୁଳି ନିୟମ-୨୦୨୦ରେ ସଂଶୋଧନ କରି ବିଦ୍ୟୁତ ଶୁଳ୍କ ପ୍ରଣାଳୀରେ ଦୁଇଟି ପରିବର୍ତ୍ତନ କରିଥିବା କୁହାଯାଇଛି । ଏହି ନିୟମ ଅନୁସାରେ, ଏଣିକି ସାରା ଦିନ ଗୋଟିଏ ମୂଲ୍ୟରେ ବିଦ୍ୟୁତ ବିଲ ଦିଆଯିବ ନାହିଁ । ଅର୍ଥାତ୍ ଦିନର ଭିନ୍ନ ଭିନ୍ନ ସମୟରେ ଅଲଗା ରହିବ ବିଦ୍ୟୁତ ବିଲ । ନୂତନ ଶୁଳ୍କ ବ୍ୟବସ୍ଥା ଅନୁଯାୟୀ ସୌର ସମୟରେ ବିଦ୍ୟୁତ୍ ହାର (ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଦ୍ୱାରା ସ୍ଥିର ହୋଇଥିବା ଆଠ ଘଣ୍ଟା) ସାଧାରଣ ହାରଠାରୁ ୧୦ ରୁ ୨୦ ପ୍ରତିଶତ କମ୍ ଥିବାବେଳେ ସର୍ବାଧିକ ଉପଯୋଗ ହେଉଥିବା ସମୟରେ ଏହା ୧୦ ରୁ ୨୦ ପ୍ରତିଶତ ଅଧିକ ରହିବ।
ତେବେ ୧ ଏପ୍ରିଲ, ୨୦୨୪ ଠାରୁ ସର୍ବାଧିକ ୧୦ କିଲୋୱାଟ୍ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଏବଂ ୧ ଏପ୍ରିଲ ୨୦୨୫ ଠାରୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ଅନ୍ୟ ଉପଭୋକ୍ତାଙ୍କ ପାଇଁ ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ । ସ୍ମାର୍ଟ ମିଟର୍ ଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର୍ ସଂଯୋଗ ହେବାର ତୁରନ୍ତ ପରେ ଟାଇମ୍ ଅଫ୍ ଡେ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ ।












Click it and Unblock the Notifications