ହସ୍ପିଟାଲରେ ଭର୍ତ୍ତି ହେଲେ ଏକନାଥ
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ଏବେ ଏକ ରହସ୍ୟ ପାଲଟିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶିବସେନା ମୁଖ୍ୟ ଏକନାଥ ସିନ୍ଦେ। ନିକଟରେ ସେ ଅସୁସ୍ଥ ଥିବାର କାରଣରୁ ନିଜ ଗାଁକୁ ପଳାଇଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲଖିତ ନହେବାରୁ ତାଙ୍କୁ ଥାନେର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ବିରୋଧୀ ଦଳ ଦାବି କରିଛନ୍ତି, ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତିକୁ ନେଇ ଶିନ୍ଦେ ରାଗରେ ଅଛନ୍ତି ଏବଂ ତାଙ୍କର ଅସୁସ୍ଥତା ଏକ ବାହାନା।
ଏହି ସମୟରେ ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବୈଠକ କରିଛନ୍ତି। ମହୁୟୁତିର ନେତାମାନେ ଆଜାଦ ମଇଦାନକୁ ମଧ୍ୟ ଯାଞ୍ଚ କରିଥିଲେ। ଏହି ସମୟରେ ଶିବସେନା, ଭାଜପା ଏବଂ ଏନସିପି ନେତାମାନେ ଉପସ୍ଥିତ ଥିଲେ। ସମସ୍ତ ତିନୋଟି ଦଳ ଏକତା ଦେଖାଇବାକୁ ଚେଷ୍ଟା କରିଥିଲେ।

ଅନ୍ୟପକ୍ଷରେ ଅଜିତ ପାୱାର ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଏଠାରେ ସେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ବିଷୟରେ ଆଲୋଚନା କରିବେ। ୧୧ ଜଣ ଏନସିପି ନେତା ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ବିପୁଳ ବିଜୟ ମିଳିବାର ଆଜିକୁ ଠିକ୍ ୧୧ ଦିନ ହୋଇଗଲା।
୧୧ ଦିନ ବିତିଯାଇଥିଲେ ବି ମହାରାଷ୍ଟରେ ଏଯାବତ୍ ସରକାର ଗଠନ ହୋଇପାରିନି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି।












Click it and Unblock the Notifications