ପୁଣି ଅଡୁଆରେ ଅନିଲ ଅମ୍ବାନୀ, ରିଲାୟନ୍ସ ପାଓ୍ବାର ଓ ଏହାର ସହଯୋଗୀ କମ୍ପାନୀ ବିରୋଧରେ ଇଡିର ଚାର୍ଜସିଟ୍ ଦାଖଲ
ଅନିଲ ଅମ୍ବାନୀ ପୁଣି ଅଡୁଆରେ। ରିଲାଏନ୍ସ ପାୱାର ଲିମିଟେଡ୍ ଏବଂ ଅନ୍ୟ ୧୦ ଜଣଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଚାର୍ଜସିଟ୍ ଦାଖଲ କରିଛି ଇଡି। ଟେଣ୍ଡର ହାସଲ କରିବା ପାଇଁ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଶନିବାର ଏହି ସୂଚନା ଦେଇଛି।
ଅଭିଯୋଗ ପତ୍ରରେ ଅନ୍ୟ ଅଭିଯୁକ୍ତଙ୍କ ଭିତରେ ରିଲାୟନ୍ସ ପାଓ୍ବାରର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ଅଶୋକ କୁମାର ପାଲ୍,ରିଲାୟନ୍ସ ଏନ୍ୟୁ ବିଇଏସ୍ଏସ୍ ଲିମିଟେଡ୍ ଓ ରୋସା ପାଓ୍ବାର ସପ୍ଲାଇ କମ୍ପାନୀ ଲିମିଟେଡ୍ର ନାଁ ରହିଛି। ସେଭଳି ଓଡିଶାରେ ବିଶ୍ବାଳ ଟ୍ରେଡଲିଙ୍କ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ପି ସାରଥି ବିଶ୍ବାଳ, ବାୟୋଥେନ କେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍, ଏବଂ ବାଣିଜ୍ୟ ଆର୍ଥିକ ପରାମର୍ଶଦାତା ଅମର ନାଥ ଦତ୍ତଙ୍କ ନାଁ ରହିଛି।

ଏହି ମାମଲା ସୂଚୀବଦ୍ଧ କମ୍ପାନୀ ରିଲାୟନ୍ସ ପାଓ୍ବାରର ସହାୟକ ରିଲାୟନ୍ସ ଏନ୍ୟୁ ବିଇଏସଏସ୍ ଲିମିଟେଡ୍ ପକ୍ଷରୁ ସୋଲାର ଏନର୍ଜୀ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମଟେ (ଏସଇସିଆଇ)ରୁ ଟେଣ୍ଡର ସୁରକ୍ଷିତ କରିବା ପାଇଁ ଦାଖଲ କରାଯାଇଥିବା ୬୮.୨ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସହିତ ଜଡିତ। ଏହି କମ୍ପାନୀ ପୂର୍ବରୁ ମହାରାଷ୍ଟ୍ର ଏନର୍ଜି ଜେନେରେସନ୍ ଲିମିଟେଡ୍ (Reliance NU BESS) ନାମରେ ଜଣାଶୁଣା ଥିଲା।
ତଦନ୍ତରୁ ଜଣାପଡିଛି ଯେ ରିଲାଏନ୍ସ ଗ୍ରୁପ୍ ଅଧିକାରୀମାନେ ଭଲ ଭାବରେ ଜାଣିଥିଲେ ଯେ ଏହା ଏକ 'ନକଲି' ବ୍ୟାଙ୍କ ଗ୍ୟାରେଣ୍ଟି। ଏସବିଆଇର ଏକ 'ନକଲି' ଇମେଲ୍ ଆଇଡିରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍କୁ ମିଛରେ ମିଳିଥିବା ମଞ୍ଜୁରୀ ପସ୍ତୁତ କରାଯାଉଥିଲା। ରିଲାୟନ୍ସ ଗ୍ରୁପ୍ ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡରୁ ଠକେଇ ବିଷୟରେ ସୂଚନା ପାଇବାର ଗୋଟିଏ ଦିନ ମଧ୍ୟରେ IDBI ବ୍ୟାଙ୍କରୁ ଏକ ଅସଲି ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା କରିଥିଲା। ତେବେ, ନିର୍ଦ୍ଧାରିତ ତାରିଖ ପରେ ଦାଖଲ କରାଯାଇଥିବାରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ନୂତନ ବ୍ୟାଙ୍କ ଗ୍ୟାରେଣ୍ଟି ଗ୍ରହଣ କରିବାକୁ ମନା କରିଦେଇଥିଲା।












Click it and Unblock the Notifications