କୁକୁର ପାଇଁ ମାମିଲ ଘରେ ପଶିଲା ଇଡି, ପୁରା ବିଷୟ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ବେଙ୍ଗାଲୁରୁର ପ୍ରସିଦ୍ଧ ଡଗ ବ୍ରିଡର ତଥା ଭାରତୀୟ ଡଗ୍ ବ୍ରିଡର୍ସ ଆସୋସିଏସନର ଅଧ୍ୟକ୍ଷ ଏସ. ସତୀଶଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉ କରିଛି। ତାଙ୍କୁ ଏବେ ପଚରା ଉଚରା ଜାରି ରହିଛି। ନିକଟରେ ସତୀଶ ଏକ ଉଲ୍ଫ ଡଗକୁ ୫୦ କୋଟି ଟଙ୍କାରେ କିଣିଥିଲେ। ତାଙ୍କର ଏହି ଦାବି ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ କାହାଣୀ ଅନ୍ୟ ମୋଡ ନେଇଛି। ୫୦ କୋଟି ଟଙ୍କାରେ କୁକୁର କିଣିବା କଥା କହିବା ପରେ ତାଙ୍କ ଘରେ ଇଡି ଚଢଉ ପଡିଛି।

ଏହି କୁକୁର କିଣାରେ ବୈଦେଶିକ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ଆଇନ ଉଲ୍ଲଂଘନ ହୋଇଥିବାର ଇଡି ଆଶଙ୍କା କରୁଛନ୍ତି। ସୋସିଆଲ ମିଡିଆରେ ସତୀଶ ୫୦ କୋଟି ଟଙ୍କାରେ କୁକୁର କିଣିଥିବା ପୋଷ୍ଟ କରିବା ପରେ ଇଡି ତାଙ୍କ ଘରକୁ ପହଞ୍ଚିଛି। ଇଡିଙ୍କ ଟିମ୍ ଏବେ ଜାଣିବାକୁ ଚାହୁଁଛନ୍ତି ଏହି କୁକୁର କିଣିବା ପାଇଁ ସତୀଶ ୫୦ କୋଟି ଟଙ୍କା କେଉଁ ମାଧ୍ୟମରେ ପୈଠ କରିଛନ୍ତି। ଏଥି ପାଇଁ ଇଡି ସତୀଶଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ବେଳେ ଏଥିରୁ ଟଙ୍କାଟିଏ ବି ଟ୍ରାଞ୍ଜାକ୍ସନ ହୋଇ ନଥିବାର ଜଣାପଡିଛି। ଏଣୁ ଏହି କୁକୁର ପାଇଁ ସେ ହୁଏତ ହାୱଲା ମାଧ୍ୟମରେ ଟଙ୍କା ଦେଣନେଣ କରିଥାଇପାରନ୍ତି ବୋଲି ଏବେ ସନ୍ଦେହ କରାଯାଉଛି।
ଏଥି ପାଇଁ ସତୀଶଙ୍କୁ ଇଡି ସାମ୍ନାରେ ବସାଇ ପଚରା ଉଚୁରା କରିଛି, ଏଥିରେ ଅସଲ କଥା ଜଣାପଡିଛି। ତଦନ୍ତରେ ସତୀଶ କରୁଥିବା ଦାବି ମିଛ ବୋଲି ଜଣାପଡିଛି। ପ୍ରାରମ୍ଭିକ ଯାଞ୍ଚରେ ସତୀଶ ଯେଉଁ କୁକୁରକୁ ଦୁର୍ଲଭ ବିଦେଶୀ ପ୍ରଜାତିର ବୋଲି ଦାବି କରୁଥିଲେ ତାହା ଦେଶୀ ବୋଲି ଜଣାପଡିଛି। ସେହିପରି ସତୀଶ କୁକୁରଙ୍କୁ ଉଧାରରେ ଆଣି ସେମାନଙ୍କ ସହ ଫଟୋ ଉଠାଇ ମିଛ ଦାବି କରନ୍ତି ବୋଲି ଜଣାପଡିଛି। ସେ ଏହି କୁକୁରଙ୍କୁ କୋଟିକୋଟି ଟଙ୍କା ବିନିମୟରେ କିଣୁଥିବାର ଦାବି କରନ୍ତି। ହେଲେ ସେ ବାସ୍ତବରେ ଏହି କୁକୁରଙ୍କୁ ତାଙ୍କ ମାଲିକଙ୍କ ଠାରୁ ସଉକରେ ମାଗିକି ଆଣନ୍ତି।
କାଗଜପତ୍ର ଯାଞ୍ଚ ପରେ ୫୦ କୋଟି ଟଙ୍କାରେ କୁକୁର କିଣା କଥା ମିଛ ବୋଲି ପ୍ରମାଣିତ ହୋଇଛି। ଏହା ଛଡା ସତୀଶଙ୍କ ପାଖରେ ବିଦେଶୀ କୁକୁର କିଣିବା ପାଇଁ କୌଣସି ବୈଦ୍ଧ କାଗଜପତ୍ର ମଧ୍ୟ ନାହିଁ। ସେହିପରି ଯେଉଁ କୁକୁରଗୁଡିକୁ ସେ ବିଦେଶୀ ପ୍ରଜାତିର ବୋଲି ଦାବି କରୁଛନ୍ତି ବାସ୍ତବରେ ସେ ଗୁଡିକ ବିଦେଶୀ ପ୍ରଜାତିର ନୁହନ୍ତି। ତେବେ ଭୁଲ ସୂଚନା ପ୍ରସାରଣ କରିବା ଓ ଏଥି ପାଇଁ ସମ୍ଭାବିତ ଆର୍ଥିକ ଅନିୟମିତତା ଲାଗି ସତୀଶଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଇଡି ଅଧିକାରୀ କହିଛନ୍ତି।












Click it and Unblock the Notifications