ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, କହିଲେ ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ
ନୂଆଦିଲ୍ଲୀ : ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଓଡ଼ିଶା ପର୍ବ-୨୦୨୫ରେ ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା ଜଣାଉଛି। ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କୁ ପ୍ରମାଣ ଜଣାଉଛି। ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ବାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଳନ କରିଛି। ଓଡ଼ିଶା ସବୁବେକଳେ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ ରହିଛି। ଆମର ଧର୍ମଗ୍ରନ୍ଥକୁ ବିଦ୍ବାନମାନେ ଏଠାକୁ ପହଞ୍ଚାଇଛନ୍ତି।
ଭାରତର ସାଂସ୍କୃତିକ ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିରୁ ଆମକୁ ବହୁତ ଶିକ୍ଷା ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ଏହା ହିଁ ଓଡ଼ିଶାର ସଂସ୍କୃତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏପରିକି ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ। ପାଇକ ବିଦ୍ରୋହ ଏହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଦ୍ବୋଧରେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ୧୦ ବର୍ଷ ହେଲା କାମ ଚାଲିଛି। ୨୦୨୪ରେ ଓଡ଼ିଶାବାସୀ ନୂଆ ଆଶା ଦେଇଛନ୍ତି। ୨୦୩୬ରେ ଓଡ଼ିଶା ଶତବାର୍ଷିକୀ ପାଳନ ହେବ। ଏହି ଅବସରରେ ଓଡ଼ିଶାର ବିକାଶ ଆମକୁ ଦେଖିବାର ଅଛି। ଏକଦା ଓଡ଼ିଶାକୁ ପଛୁଆ କୁହାଯାଉଥିଲା, କିନ୍ତୁ ଓଡ଼ିଶାକୁ ମୁଁ ପୂର୍ବ ଭାରତର ବିକାଶର ଇଞ୍ଜିନ ଭାବେ ଦେଖୁଛି। ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଦିଗରେ ଅଗ୍ରଗତି କରୁଛି। ଓଡ଼ିଶାର ବିକାଶ ପାଇଁ ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶାର କୃଷି ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ଲାଭବାନ କରାଯିବ। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ହେଉଛି। ଓଡ଼ିଶାରେ ନୂଆ ସରକାରର ୧୦୦ ଦିନରେ ୪୫ହଜାର କୋଟି ନିବେଶକୁ ମଂଜୁରୀ ମିଳିଛି।

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ। ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। କିଛିଦିନ ତଳେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛି। ଏହି ଯୋଜନା ମାଧ୍ୟମରେ ମହିଳାଙ୍କ ଆର୍ଥକ ବିକାଶ ହୋଇପାରିବ। ସାମୁଦ୍ରିକ ସାମର୍ଥ୍ୟକୁ ଉତ୍କଳୀୟମାନେ ବିସ୍ତାର ଦେଇଥିଲେ। କଟକ ବାଲିଯାତ୍ରାକୁ ମନେପକାଇ ଭାରତର ନୌବାଣିଜ୍ୟ ପରମ୍ପରା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ।












Click it and Unblock the Notifications