ମିଆଁମାରରେ ପୁଣି ଭୂମିକମ୍ପ; ରିକ୍ଟର ସ୍କେଲ୍ରେ ଭୂକମ୍ପ ତୀବ୍ରତା ୪.୫ ରେକର୍ଡ , ୨୭୦୦ ଟପିଲାଣି ମୃତ୍ୟୁ ସଂଖ୍ୟା
ମିଆଁମାରରେ ପୁଣି ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲ୍ରେ ଭୂକମ୍ପ ତୀବ୍ରତା ୪.୫ ରେକର୍ଡ । ଭୂକମ୍ପରେ ୨୭୦୦ ଟପିଲାଣି ମୃତ୍ୟୁ ସଂଖ୍ୟା ।
ଏଭଳି ପରିସ୍ଥିତିରେ ପଡ଼ୋଶୀ ଭାରତ ପଠାଇଛି ପ୍ରଥମ ମାନବୀୟ ସହାୟତା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ପରେ ଆଜି ତମ୍ବୁ, ପୋଷାକ, କମ୍ବଳଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ ଆଦିର ୧୫ ଟନ୍ ରିଲିଫ ସାମଗ୍ରୀ ପଠାଇଛି। ଏପରିକି ଉଦ୍ଧାର ପାଇଁ ୮୦ଜଣିଆ ଏନ୍ଡିଆର୍ଏଫ୍ ଦଳକୁ ପଠାଇଛି।

ରିକ୍ଟର ସ୍କେଲରେ ୭.୭ ତୀବ୍ରତା ସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ମ୍ୟାଁମାରରେ ଧନଜୀବନର ସର୍ବାଧିକ କ୍ଷତି ଘଟିଥିବାବେଳେ ପଡୋଶୀ ଥାଇଲାଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଥାଇଲାଣ୍ଡରେ ଅବଶ୍ୟ ମୃତ୍ୟୁସଂଖ୍ୟା ୧୦ରେ ସୀମିତ ଥିବାବେଳେ ଏକାଧିକ କୋଠାଘର ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହୋଇପଡିଛି। ପ୍ରାୟ ଏକ ଘଣ୍ଟା ବ୍ୟବଧାନରେ ଆଉ ଛଅଥର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ସ୍ଥିତି ଅଧିକ ଦୟନୀୟ ହୋଇପଡିଥିଲା। ମ୍ୟାଁମାରର ମାଣ୍ଡାଲେ ସହର ଭୂମିକମ୍ପ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏକାଧିକ କୋଠାଘର ଭୁଶୁଡି ପଡିଥିବାରୁ ସହରଟି ଏକପ୍ରକାର କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି। ସାଗାଇଙ୍ଗ୍ ନିକଟବର୍ତ୍ତୀ ଇରାୱତୀ ନଦୀ ଉପରେ ନିର୍ମିତ ୧୦୦ ବର୍ଷର ପୁରୁଣା ପୋଲ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ମ୍ୟାଁମାର ସରକାରଙ୍କ ପକ୍ଷରୁ ଭୂକମ୍ପ ପ୍ରଭାବିତ ୬ ସହରରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଧ୍ବଂସସ୍ତୂପ ତଳୁ ଉଦ୍ଧାର କରାଯାଇଥିବା ଆହତଙ୍କୁ ଚିକିତ୍ସା ପାଇଁ ରାଜଧାନୀ ନ୍ୟାପିଦେର ସମସ୍ତ ଡାକ୍ତରଖାନାରେ ଅସମ୍ଭବ ଭିଡ଼ି ଦେଖିବାକୁ ମିଳିଛି।
ଅପରପକ୍ଷରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଛାଟୁଚାକ୍ ମାର୍କେଟ ନିକଟରେ ନିର୍ମାଣାଧୀନ ଏକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡି ପଡିବାରୁ ସେଠାରେ ପ୍ରାୟ ଶତାଧିକ ଶ୍ରମିକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଇତୋଙ୍ଗତ୍ରାନ୍ ସିନାୱାତ୍ରା ଶନିବାର ଉଚ୍ଚସ୍ତରୀୟ କ୍ୟାବିନେଟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡରେ କୌଣସି ଭାରତୀୟ ପ୍ରାଣ ହରାଇ ନାହାନ୍ତି ବୋଲି ବ୍ୟାଙ୍କକ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୂମିକମ୍ପର ଝଟ୍କା ଭାରତ, ବାଂଲାଦେଶ, କାମ୍ବୋଡିଆ, ଲାଓସ ସମେତ ଚୀନ୍ରେ ମଧ୍ୟ ଅନୁଭୂତ ହୋଇଛି।












Click it and Unblock the Notifications