ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଇଡି ପଠାଇଥିଲା ସମନ, ତୁରନ୍ତ ହାଜର ହେଲେ ଦୁର୍ଗେଶ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି । ଆଉ ସମନ ପାଇବା ପରେ ଦୁର୍ଗେଶ ଇଡିରେ ପହଞ୍ଚିଥିବାବେଳେ, ଏବେ ତାଙ୍କୁ ପଚରାଉଚରା ଜାରି ରହିଛି ।
ଏହା ବ୍ୟତୀତ ଇଡି ମଧ୍ୟ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ପଚରାଉଚରା କରୁଛି । ଏହାପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନିତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପାଠକ ଏବଂ ବିଭବ କୁମାରଙ୍କୁ ପଚରାଉଚରା କରିସାରିଛି ।

"ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି । ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ ।" ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତ୍ରୀ ଅତିଶି ମାର୍ଲେନା ଏଭଳି କହିବାର କିଛି ଦିନ ପରେ ଆଜି ଇଡି ଦୁର୍ଗେଶ ପାଠକଙ୍କୁ ସମନ ପଠାଇଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।












Click it and Unblock the Notifications