Happy Birth Day Madam President: ୬୬ ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶିକ୍ଷୟତ୍ରୀରୁ ରାଷ୍ଟ୍ରପତି ଭବନର ଯାତ୍ରା
Droupadi Murmu Birth Day: ଭାରତର ରାଷ୍ଟ୍ରପତି ତଥା ଓଡ଼ିଆ ମାଟିର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି । ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗ୍ରାମରେ ଜନ୍ମ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଜନ୍ମଦିନ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଝିଅ ଆଜି ଭାରତର ପ୍ରଥମ ନାଗରିକ । ଯଦିଓ ଏ ଯାତ୍ରା ରହଜ ନଥିଲା, ତେବେ ଦୃଢ ଇଛାଶକ୍ତି ଏବଂ କଠିନ ପରିଶ୍ରମ ଯେ ସଫଳତାକୁ ହାତ ମୁଠାରେ ଆଣିଦେଇପାରେ ତାହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନରୁ ବେଶ୍ ସ୍ପଷ୍ଟ ବାରି ହୋଇପଡ଼ୁଛି ।

କେମିତି ଥିଲା ଯାତ୍ରା ?
୨୫ ଜୁଲାଇ ୨୦୨୨, ସେ ଦିନ ଥିଲା ସ୍ୱତନ୍ତ୍ର । ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ଦିନ । ଦେଶ ଏହାର ୧୫ତମ ରାଷ୍ଟ୍ରପତିଙ୍କୁ ପାଇବା ସହ ଇତିହାସର ଏକ ସ୍ୱର୍ଣ୍ଣାଭ ପୃଷ୍ଠାରେ ସ୍ଥାନ ପାଇଥିଲା ସେହି ତାରିଖ । ସେହି ସ୍ୱର୍ଣ୍ଣିମ ମୂହୂର୍ତ୍ତର ସାଷୀ ଥିଲା ସଂସଦ ଭବନ । ମହାମହିମ ହୋଇଥିଲେ ଓଡ଼ିଶାର ସାଧାରଣ ପରିବାରର ଝିଅ ଦ୍ରୌପଦୀ ମୁର୍ମୁ ।
କ୍ଲାସ ମନିଟରରୁ ଦେଶର ସୁପ୍ରିମୋ କମାଣ୍ଡର ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବିତ ଥିଲା ପ୍ରତିଟି ଓଡିଆ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢା ଗାଁର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସେ ସର୍ବକନିଷ୍ଠ । ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ।
ଶିକ୍ଷୟତ୍ରୀ ରୁ ରାଷ୍ଟରପତି ଭବନ
ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗ୍ରାମରେ ୧୯୫୮ ମସିହା ଜୁନ ୨୦ ତାରିଖରେ ବାପା ବିରଞ୍ଚି ନାରାୟଣ ମୁର୍ମୁ ଓ ମାଆ ସିନାଗୋ ଟୁଡୁଙ୍କ କୋଳରେ ଜନ୍ମ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଏକ ସାଧାରଣ ପରିବାରରେ ଜନ୍ମ । ସ୍କୁଲରେ ଶ୍ରେଣୀରେ ମନିଟର ହେବା ବୋଧେ ଦେଶର ସର୍ବୋଚ୍ଚ ପଦବୀରେ ଦିନେ ବସିବାର ଥିଲା ମୂଳଦୁଆ । ଶିକ୍ଷୟିତ୍ରୀରୁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । ୧୯୯୭ ରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ।
ରମାଦେବୀ ମହାବିଦ୍ୟାଳୟରୁ ଗ୍ରାଜୁଏସନ ପରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । କିଛି ଦିନ ଶିକ୍ଷାଦାନ ପରେ ୧୯୯୭ରେ ପୌର ନିର୍ବାଚନରେ ରାଇରଙ୍ଗପୁର ଏନଏସି ପାଇଁ ୱାର୍ଡମେମ୍ବର ଭାବେ ବିଜୟୀ ହୋଇଥିଲେ । ପରେ ପୌର ଉପାଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ଆରମ୍ବ ହେଲା ଯାତ୍ରା । ୨୦୧୫ ରୁ ୨୦୨୧ ଯାଏଁ ଝାଡଖଣ୍ଡର ରାଜ୍ୟପାଳ ଥିଲେ ଦ୍ରୈପଦୀ ମୁର୍ମୁ । ଏହା ପୂର୍ବରୁ ୨୦୦୦ ରୁ ୨୦୦୯ ଯାଏଁ ବିଧାୟକ ମଧ୍ୟ ରହିଛନ୍ତି ଥିଲେ । ଏପରିକି ୨୦୦୦ ରୁ ୨୦୦୪ ଯାଏଁ ସେ ନବୀନ ସରକାରରେ ମନ୍ତ୍ରୀ ଥିଲେ । ୱାର୍ଡ କାଉନସିଲର, ମନ୍ତ୍ରୀ, ରାଜ୍ୟପାଳ ହେବା ପରେ ଆଜି ଭାରତବର୍ଷର ରାଷ୍ଟ୍ରପତି ହୋଇଛନ୍ତି ।
ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ୱାନ୍ ଇଣ୍ଡିଆ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।












Click it and Unblock the Notifications