Dr SP Mukherjee: ଭାରତୀୟ ଜାତୀୟତାର ଅଲିଭା ବହ୍ନି ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ
ସ୍ୱାଧୀନତା ପରଠାରୁ ଦେଶରେ ଜାତୀୟତାର ଅବଧାରଣାକୁ ପ୍ରୋତ୍ସାହିତ କରିଥବା, ଏକଦା ପାଇଁ ସର୍ବଦା ଲାଗିରହିଥିବା ଓ ଦେଶରେ ଏକ ଶକ୍ତିଶାଳୀ ରାଜନୈତିକ ବିକଳ୍ପର ବୀଜ ବୁଣିଥିବା ଜଣେ ହିଁ ବ୍ୟକ୍ତିଙ୍କ ନାଁ ସର୍ବଦା ଆଗରେ । ସେ ହେଉଛନ୍ତି ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ । ଆଦର୍ଶ ଓ ସଂଗ୍ରାମ ଭାରତୀୟ ରାଜନୈତିକ ଆକାଶରେ ଏକ ଅଲିଭା ବହ୍ନି ହୋଇ ରହିଛି । ଆଜି ତାଙ୍କର ୭୧ ତମ ବଳିଦାନ ଦିବସ । ୨୩ ଜୁନ ୧୯୫୩ ମସିହାରେ ରହସ୍ୟମୟ ଭାବରେ ତାଙ୍କର ମୃତ୍ୟୁ ହେଇଥିଲା ।
ଡଃ ମୁଖାର୍ଜୀ କହୁଥିଲେ: "ଏକ ଦେଶ ମେଁ ଦୋ ବିଧାନ୍, ଦୋ ପ୍ରଧାନ୍ ଔର୍ ଦୋ ନିଶାନ୍ ନେହିଁ ଚଲେଙ୍ଗେ'' (ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନ ମନ୍ତ୍ରୀ ଓ ଦୁଇଟି ଜାତୀୟ ପ୍ରତୀକ ରହିପାରିବ ନାହିଁ)। ଏହି ସ୍ଲୋଗାନ୍ ପ୍ରଥମେ ଜନ ସଙ୍ଘ ଓ ପରେ ଭାରତୀୟ ଜନତା ପାର୍ଟିର (ବିଜେପି) ସଂକଳ୍ପ ତଥା ମାର୍ଗଦର୍ଶିକ ନୀତି ପାଲଟିଥିଲା । ଦଶନ୍ଧି ଦଶନ୍ଧି ଧରି ଡକ୍ଟର ମୁଖାର୍ଜୀଙ୍କ ସେହି ସ୍ୱପ୍ନ - "ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନ ମନ୍ତ୍ରୀ ଓ ଦୁଇଟି ଜାତୀୟ ପ୍ରତୀକ ରହିପାରିବ ନାହିଁ" - କେବେ ସାକାର ହେବ କି ନାହିଁ ତାହା ଭାରତର ଲୋକଙ୍କ ମନରେ ପ୍ରଶ୍ନ ହୋଇ ରହିଆସିଥିଲା ।

ସେ ଜାମ୍ମୁ କାଶ୍ମୀରର ସମସ୍ୟାକୁ ବୁଝିଥିଲେ ଓ ତା'ର ସମ୍ପୂର୍ଣ୍ଣ ସମାଧାନ ପାଇଁ ଦାବି କରି ଜୋରଦାର୍ ଢଙ୍ଗରେ ସ୍ୱର ଉତ୍ତୋଳନ କରିଥିଲେ । ବଙ୍ଗ ବିଭାଜନ ହେବା ବେଳେ ବି ସେ ଭାରତର ଅଧିକାର ଓ ସ୍ୱାର୍ଥ ପାଇଁ ସଫଳତାର ସହ ଲଢ଼ିଥିଲେ । ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ବି ଭାରତୀୟ ଲୋକଙ୍କ ଉପରେ ବାହାରୁ ଆମଦାନୀ ହୋଇଥିବା ଆଦର୍ଶବାଦ ଓ ତତ୍ତ୍ୱକୁ ଲଦିବା ପାଇଁ କଂଗ୍ରେସ ପାର୍ଟିର ଉଦ୍ୟମକୁ ବିରୋଧ କରିବାରେ ଡଃ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଓ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । 'ଭାରତ, ଭାରତୀୟ ଓ ଭାରତୀୟତା'ର ରାଜନୈତିକ ଓ ସାମାଜିକ ଆଦର୍ଶକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁଠାରୁ ଉପଯୁକ୍ତ ତଥା ସ୍ଥାୟୀ ଜୀବନଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଓ ପ୍ରତିଷ୍ଠା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସ୍ୱାଧୀନତା ପରେ ନେହେରୁ ସରକାରରେ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଥିଲେ ଡଃ ମୁଖାର୍ଜୀ । ଯଦିଓ ସେ ସରକାରରେ ଯୋଗ ଦେଇଥିଲେ, ନେହେରୁ-ଲିଆକତ ଚୁକ୍ତିରେ କଂଗ୍ରେସ ଦ୍ୱାରା ହିନ୍ଦୁମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ହେଉଛି ତାଙ୍କ ଆଦର୍ଶଗତ ଚେତନାର ଉଜ୍ଜ୍ୱଳ ଉଦାହରଣ ଥିଲା । ଡଃ ମୁଖାର୍ଜୀ ନିଜ ଆଦର୍ଶଗତ ପ୍ରତିବଦ୍ଧତା ସହ କେବେ ବି ବୁଝାମଣା କରିନାହାଁନ୍ତି । ନେହେରୁ କ୍ୟାବିନେଟରୁ ତାଙ୍କର ଇସ୍ତଫା ଦେବା ହିଁ ଦେଶରେ ଏକ ରାଜନୈତିକ ବିକଳ୍ପ ଜନ୍ମ ନେବାର ପୂର୍ବାଭାସ ଥିଲା ।
ଭାରତ ଉତ୍ସାହର ସହ ଏକ ରାଜନୈତିକ ଆଦର୍ଶବାଦ ଖୋଜୁଥିଲା ଯାହା ସାଂସ୍କୃତିକ ଜାତୀୟତା ଜରିଆରେ ଜାତୀୟ ଐକ୍ୟ ପାଇଁ ଓ ତୁଷ୍ଟିକରଣ ରାଜନୀତିର ମୂଳୋତ୍ପାଟନ ପାଇଁ ପ୍ରତିବଦ୍ଧ । ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ହିଁ ଏହି ବିତର୍କର ପତାକା ଉତ୍ତୋଳନକାରୀ ଭାବରେ ଉଭା ହୋଇଥିଲେ, ଯାହା ଫଳରେ ଶେଷରେ ଜନ ସଙ୍ଘର ଗଠନ ହୋଇଥିଲା
ଡଃ ମୁଖାର୍ଜୀଙ୍କ ପ୍ରବଳ ଉଦ୍ୟମ ଯୋଗୁଁ ଅକ୍ଟୋବର ୨୧, ୧୯୫୧ରେ ଜନ ସଙ୍ଘ ଗଠିତ ହୋଇଥିଲା । ଏମିତି ଏକ ରାଜନୈତିକ ଦଳର ମଞ୍ଜି ବୁଣାଯାଇଥିଲା ଯେଉଁଥିରେ ଜାତୀୟତା ଓ ଭାରତୀୟତାର ଅନ୍ତର୍ନିହିତ ଗୁଣ ରହିଥିଲା । ବିଗତ ଅନେକ ଦଶନ୍ଧି ମଧ୍ୟରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରି, ଅନେକ ଯୁଦ୍ଧରେ ଲଢ଼ି ଓ ଅନେକ ଉତ୍ଥାନ-ପତନରୁ ରକ୍ଷା ପାଇ ଆଜି ଯେଉଁଠି ଅଛୁ ସେଇଠି ପହଞ୍ଚିଛୁ ।
୧୯୫୧-୫୨ର ପ୍ରଥମ ସାଧାରଣ ନିର୍ବାଚନରେ ଜନ ସଙ୍ଘ ତିନିଟି ଆସନ ଜିତିବାରେ ସଫଳ ହୋଇଥିଲା । ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ କୋଲକାତା ଆସନ ଜିତି ସଂସଦରେ ପହଞ୍ଚିଥିଲେ । ତାଙ୍କ ଚିନ୍ତାଧାରାର ସ୍ୱଚ୍ଛତା, ତାଙ୍କ ଆଦର୍ଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଓ ଦୂରଦୃଷ୍ଟିରେ ଏକମତ ହୋଇ ବିରୋଧୀ ଦଳମାନେ ଏକତ୍ରିତ ଭାବେ ତାଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ମନୋନୀତ କରିଥିଲେ । ବିରୋଧୀ ଦଳର ନେତା ଭାବରେ ଡଃ ମୁଖାର୍ଜୀ ଲୋକଙ୍କ ସମସ୍ୟାକୁ ସଂସଦରେ ବଳପୂର୍ବକ ଉଠାଇ ବିରୋଧୀ ଦଳର ସବୁଠାରୁ ଶକ୍ତିଶାଳୀ ସ୍ୱର ଭାବରେ ଉଭା ହୋଇଥିଲେ ।
ଡକ୍ଟର ମୁଖାର୍ଜୀ ସର୍ବଦା ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରିବା ଓ ଅନୁମତି ପ୍ରଣାଳୀକୁ (permit system) ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପାଇଁ ବଡ଼ ପ୍ରତିବନ୍ଧକ ବୋଲି ବିବେଚନା କରୁଥିଲେ । ଏଥି ପାଇଁ ସେ ଅନେକ ଥର ସଂସଦରେ ସ୍ୱର ଉତ୍ତୋଳନ କରିଥିଲେ । ଜୁନ୍ ୨୬, ୧୯୫୨ରେ ଜାମ୍ମୁ କାଶ୍ମୀର ଉପରେ ଏକ ବିତର୍କରେ ଅଂଶଗ୍ରହଣ କରି ସେ କହିଥିଲେ ଯେ ଏକ ଗଣତାନ୍ତ୍ରିକ ତଥା ଫେଡେରାଲ୍ ଭାରତରେ ଗୋଟିଏ ରାଜ୍ୟର ନାଗରିକଙ୍କ ଅଧିକାର ଓ ସୁଯୋଗ ଅନ୍ୟ ରାଜ୍ୟଠାରୁ ଭିନ୍ନ ହୋଇପାରିବ ନାହିଁ । ଏହା ଭାରତର ଅଖଣ୍ଡତା ଓ ଏକତା ପାଇଁ କ୍ଷତିକାରକ ବୋଲି ସେ କହିଥିଲେ । ଜାମ୍ମୁ କାଶ୍ମୀରରେ ପ୍ରବେଶ ପାଇଁ ଅନୁମତି ବ୍ୟବସ୍ଥାକୁ ସେ ତୀବ୍ର ବିରୋଧ କରିଥିଲେ ।
ମୁଖାର୍ଜୀ ଜାମ୍ମୁରେ ପ୍ରବେଶ କରିବା ସମୟରେ ଗିରଫ ହୋଇଥିଲେ, ଯାହାକୁ ସାରା ଭାରତରେ ବ୍ୟାପକ ବିରୋଧ କରାଯାଇଥିଲା ଓ ଅନେକ ଲୋକ ଗିରଫ ହୋଇଥିଲେ । ଗିରଫ ହେବାର ୪୦ ଦିନ ପରେ ଜୁନ୍ ୨୩, ୧୯୫୩ରେ ଭାରତ ମାତାର ଏହି ମହାନ ପୁତ୍ର ରହସ୍ୟମୟ ପରିସ୍ଥିତିରେ ଜାମ୍ମୁର ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସହିଦ ହେବା ଅନେକ ଉତ୍ତରହୀନ ପ୍ରଶ୍ନର କାରଣ ହୋଇଥିଲା, କିନ୍ତୁ ତତ୍କାଳୀନ ନେହେରୁ ସରକାର ଏ ସବୁ ପ୍ରତି ଦୃଷ୍ଟି ଦେଇ ନ ଥିଲେ।
ଏହା ଏକ ଆଦର୍ଶଗତ ଯୁଦ୍ଧ ଥିଲା । ଗୋଟିଏ ପଟେ କଂଗ୍ରେସ ସମେତ ସର୍ବଦା ତୁଷ୍ଟିକରଣ ରାଜନୀତି କରୁଥିବା ଦଳମାନେ ଥିଲେ, ଆଉ ଅନ୍ୟ ପଟେ ଥିଲା ବିଜେପି । ମାତ୍ର ଆମେ ଦେଶ ମାତୃକାର ସ୍ୱାର୍ଥ ଓ ଏକ୍ୟ ପାଇଁ ଯେକୌଣସି ବଳିଦାନ ଦେବା ପାଇଁ ପ୍ରସ୍ତୁତ ଥିଲୁ । ଆମେ ଆଜି ବି ପ୍ରସ୍ତୁତ ଅଛୁ । ଆଜି ତାଙ୍କର ବଳିଦାନ ଦିବସ ।












Click it and Unblock the Notifications