ଇଣ୍ଡିଗୋ କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତୁନି- ସୋନୁ ସୁଦ୍
ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ଗତ ୫ ଦିନ ହେବ ଇଣ୍ଡିଗୋ ଏୟାଇଲାଇନ୍ସରେ ଦେଖାଯାଇଥିବା ବିଭ୍ରାଟ ହଜାର ହଜାର ଯାତ୍ରୀଙ୍କ ନିଦ ହଜାଇ ଦେଇଛି । ଦେଶର ପ୍ରମୁଖ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରି ବସିଛନ୍ତି । ଏମାନେ ଏବେ କ'ଣ କରିବେ କିଛି ବୁଝି ପାରୁନାହାନ୍ତି । ଇଣ୍ଡିଗୋ ବିମାନ ରଦ୍ଦ ଓ ବିଳମ୍ବ ପାଇଁ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଧୈର୍ଯ୍ୟ ସୀମା ଟପୁଛି ,ଅଣାୟତ୍ତ ହୋଇଛି ସ୍ଥିତି । ଯାତ୍ରୀ ବିମାନ କର୍ମଚାରୀଙ୍କ ଉପରେ ନିଜ ଅସନ୍ତୋଷ, ରାଗ ବାହାର କରୁଛନ୍ତି ।

ସ୍ଥିତି ଯେତେବେଳେ ଧିରେଧିରେ ବିଗୁଡୁଛି ଆଉ ଧୈର୍ଯ୍ୟ ସୀମା ଡେଉଁଛି ଠିକ୍ ସେତେବେଳେ ଯାତ୍ରୀଙ୍କୁ ଅପିଲ୍ କରିଛନ୍ତି ଅଭିନେତା ସୋନୁ ସୁଦ୍ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଛାଡି ସୋନୁ ସୁଦ୍ ଯାତ୍ରୀଙ୍କୁ ବିମାନ କର୍ମଚାରୀଙ୍କ ପ୍ରତି ଦୟା ଭାବ ଦେଖାଇବାକୁ ଅନୁରୋଧ କରିଛନ୍ତି । ସୋନୁ ସୁଦ ଆହୁରି କହିଛନ୍ତି- ଇଣ୍ଡିଗୋର ଏହି ବିଭ୍ରାଟ ପାଇଁ ସମସ୍ତେ ସମସ୍ୟା ଭୋଗୁଛନ୍ତି । ମୋର ସମ୍ପର୍କୀୟ ବି ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ । ବିମାନ ବାତିଲ, ରଦ୍ଦ, ବିଳମ୍ବ ପାଇଁ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ମିଟିଂ ଆଟେଣ୍ଡ କରିପାରୁ ନାହାନ୍ତି, ବାହାଘରରେ ସାମିଲ ହୋଇ ପାରୁନାହାନ୍ତି । କିନ୍ତୁ ଏ ପ୍ରକରଣ ଭିତରେ ସବୁଠାରୁ ବଡ଼ ଦୁଃଖର କଥା ଯେ, ଯେଉଁ ବିମାନ କର୍ମଚାରୀମାନେ ଗ୍ରାଉଣ୍ଡରେ କାମ କରୁଛନ୍ତି । ସେମାନଙ୍କ ପ୍ରତି ଯାତ୍ରୀମାନେ ଚିଲେଇବା, ଗାଳି ଗୁଜ କରିବା ଭଲଲାଗୁନି । ମାନୁଛି ବିରକ୍ତ ଲାଗୁଥିବ, କିନ୍ତୁ ଆପଣ ଥରେ ଭାବନ୍ତୁ ସେମାନେ ବି ଅସହାୟ । ସେମାନେ ଉପରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରୁଛନ୍ତି ଆଉ ଆପଣଙ୍କ ପାଖରେ ପହଞ୍ଚାଉଛନ୍ତି ।
ସେମାନେ ଅସହାୟ, ସେମାନେ ନିରୁତ୍ତର
ସୋନୁ ସୁଦ ଆହୁରି କହିଛନ୍ତି- ଯେଉଁମାନେ ସେହି କର୍ମଚାରୀଙ୍କ ସହ ଲଢେଇ ଝଗଡା କଲେ ତାହା ଦୁଃଖର କଥା । ଏମାନେ ସେହି କର୍ମଚାରୀ ଯେଉଁମାନେ ପୂର୍ବରୁ ଆପଣଙ୍କୁ ହସିହସି ନିରନ୍ତର ସେବା ଯୋଗାଇ ଆସିଛନ୍ତି । ଆମର ଯତ୍ନ ନେଇଛନ୍ତି । ଏବେ ସମୟ ଆସିଛି ସେମାନଙ୍କ ସହ ଛିଡା ହେବାର । ଏହି ସମସ୍ୟା ସେମାନଙ୍କର ନୁହେଁ ଗୋଟେ ବଡ଼ ବ୍ୟବସ୍ଥାର । ସେମାନେ ଅସହାୟ, ସେମାନେ ନିରୁତ୍ତର ସେମାନଙ୍କୁ ଭଲ ବ୍ୟବହାର ଦେଖାନ୍ତୁ ।
ଆଜି ବି ବାତିଲ ଅନେକ ବିମାନ
ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା ବଡ଼ ଧରଣର ବିଭ୍ରାଟ ସାରା ଦେଶରେ ବିମାନ ଯାତ୍ରାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଇନ୍ଦୋର, କୋଚି, ଥିରୁଅନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ବଡ଼ ଧରଣର ବିମାନ ବାତିଲ ଏବଂ ବିଳମ୍ବ ହେଉଛି । ଯାହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ହେବା ସହ ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି । ଅନେକ ସ୍ଥାନରେ ଯାତ୍ରୀ ବିମାନ ବିଳମ୍ବ ଏବଂ ରଦ୍ଦ ପାଇଁ ହନ୍ତସନ୍ତ ହେଉଥିବାରୁ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଜି ବି ଅହମ୍ମଦାବାଦରୁ ୭ଟି ବିମାନ ବାତିଲ ହୋଇଛି । କୋଚି, ଜୟପୁର, ଇନ୍ଦୋରରେ ବିମାନ ସେବା ଆଜି ବି ପ୍ରଭାବିତ । ଥିରିଅନନ୍ତପୁରମ ବିମନାବନ୍ଦରରେ ୬ଟି ବିମାନ ରଦ୍ଦ ।
ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି
ସେପଟେ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶ ଜାରି କରି କହିଛି- ଆମେ ଖୁସିର ସହିତ ସୂଚନା ଦେଉଛୁ ଯେ ଇଣ୍ଡିଗୋ ବିମାନ ଚଳାଚଳ ଏବେ ଧୀରେ ଧୀରେ ଆରମ୍ଭ ହେଉଛି ଏବଂ ଏହା ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି। ଘରୁ ବାହାରିବା ପୂର୍ବରୁ ଦୟାକରି ଆପଣଙ୍କର ବୁକିଂ ଏବଂ ବିମାନର ସ୍ଥିତି ଯାଞ୍ଚ କରନ୍ତୁ... ବୋଲି କହିଛି ଦିଲ୍ଲୀ ଏୟାରପୋର୍ଟ ।












Click it and Unblock the Notifications