ଧର୍ମଘଟରେ ବାଧାପ୍ରପ୍ତ ଇନ୍ଧନ ପରିବହନ, ଦୁଇ ଚକିଆକୁ ୨ ଲିଟର, ଚାରି ଚକିଆକୁ ୫ ଲିଟର ପେଟ୍ରୋଲ ଦେବାକୁ ନିର୍ଦ୍ଦେଶ ଜାରି
ଚଣ୍ଡିଗଡ଼:ସରକାରଙ୍କ ନୂଆ ହିଟ୍-ଏଣ୍ଡ-ରନ୍ (ଦୁର୍ଘଟଣା) ଆଇନକୁ ବିରୋଧ କରି ବସ୍ ଓ ଟ୍ରକ୍ ଚାଳକଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଜାରି ରହିଛି । ସୋମବାର ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ହରିୟାଣା, ପଞ୍ଜାବ ସମେତ ଅନେକ ରାଜ୍ୟରେ ଟ୍ରକ୍ ଓ ବସ୍ ଚାଳକମାନେ ଧର୍ମଘଟ କରିଥିଲେ ।
ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ୱାଲିୟର, ଜବଲପୁର ସମେତ ଅନ୍ୟାନ୍ୟ ସହରରେ ବସ୍ ଚଳାଚଳ କରିନଥିଲା । କେବଳ ଜାତୀୟ ରାଜପଥ ନୁହେଁ ରାଜ୍ୟ ରାଜପଥରେ ମଧ୍ୟ ଘରୋଇ ବସ୍ ଓ ଟ୍ରକ୍ ଗୁଡ଼ିକ ଛଡ଼ା ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ହିଟ୍-ଆଣ୍ଡ-ରନ୍ ଆକ୍ଟକୁ ନେଇ ଏହି ଆନ୍ଦୋଳନ ଜାରି ରହିଛି ।
ଟ୍ରକ ଓ ବସ ଚାଳକଙ୍କ ଏହି ଧର୍ମଘଟ ଫଳରେ ସାରା ଦେଶରେ ବିଭିନ୍ନ ସାମଗ୍ରୀର ପରିବହନ ପ୍ରଭାବିତ ହୋଇଛି । କେତେକ ରାଜ୍ୟରେ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଏହା କାରଣରୁ ସରକାର ଏବେ ପଡ଼ିଛନ୍ତି ଚିନ୍ତାରେ । ଏପଟେ ଚଣ୍ଡିଗଡ଼ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ପେଟ୍ରୋଲ ଏବଂ ଡିଜେଲ ପାଇଁ ପ୍ରଶାସନ ସୀମା ନିର୍ଦ୍ଧାରଣ କରିଛନ୍ତିି ।

ଦୁଇ ଚକିଆ ଯାନରେ କେବଳ ୨ ଲିଟର ପେଟ୍ରୋଲ ଏବଂ ଚାରି ଚକିଆ ଯାନରେ ମାତ୍ର ୫ ଲିଟର ପେଟ୍ରୋଲ ପକାଯିବ । ଚଣ୍ଡିଗଡ଼ ପ୍ରଶାସନ ସାମୟିକ ଭାବେ ଏହି ନିଷ୍ପତ୍ତି ନେଇଛି । ଚଣ୍ଡିଗଡ଼ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସର୍ବାଧିକ ୨୦୦ ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ଡିଜେଲ ଦୁଇି ଚକିଆ ଯାନରେ ପକାଇ ପାରିବେ । ସେହିପରି ସର୍ବାଧିକ ୫୦୦ ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ଡିଜେଲ ଚାରି ଚକିଆ ଯାନକୁ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ଏହି ନିର୍ଦ୍ଦେଶରେ କୁହାଯାଇଛି, ଇନ୍ଧନ ଷ୍ଟେଶନ ଅପରେଟରମାନଙ୍କୁ ଏହି ନିୟମ ମାନିବାକୁ ଅନୁରୋଧ କରାଯାଇଛି । ଏହା ସହ ପ୍ରଯୁଜ୍ୟ ପ୍ରତିବନ୍ଧକ ସହିତ ଗ୍ରାହକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହା ସହ ଚଣ୍ଡିଗଡ଼ରେ ଇନ୍ଧନ ଯୋଗାଣକୁ ଠିକ୍ କରିବା ପାଇଁ ତୈଳ କମ୍ପାନୀଗୁଡିକ ସହିତ ପ୍ରଶାସନର ଆଲୋଚନା ଚାଲିଛି ।












Click it and Unblock the Notifications