ବ୍ରିକ୍ସ ଶିଖର ସମ୍ମିଳନୀରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ:ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ
କଜାନ : ଅକ୍ଟୋବର ୨୩ ଅର୍ଥାତ୍ ବୁଧବାର ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଯୁଦ୍ଧକୁ ସମର୍ଥନ କରେ ନାହିଁ, କିନ୍ତୁ କୂଟନୈତିକ ଏବଂ ସଂଳାପ ବା କଥାବାର୍ତ୍ତାକୁ ସମର୍ଥନ କରେ। ବ୍ରିକ୍ସ ପ୍ଲାଟଫର୍ମରୁ ସେ ଚୀନ୍ ଏବଂ ରୁଷିଆ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଇଛନ୍ତି ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ଆମେ ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଏବଂ କୂଟନୀତିକୁ ସମର୍ଥନ କରୁଛୁ। ଯେତେବେଳେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରୁଥିଲେ, ତାଙ୍କ ପାଖରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉପସ୍ଥିତ ଥିଲେ।
ମୋଦୀ କହିଥିଲେ ଆଜିର ଚମତ୍କାର ବୈଠକ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଅଶେଷ କୃତଜ୍ଞତା ଜଣାଉଛି। ମୁଁ ବହୁତ ଖୁସି ଯେ ଆଜି ଆମେ ପ୍ରଥମ ଥର ପାଇଁ ଏକ ବ୍ରିକ୍ସ ପରିବାର ଭାବରେ ସାକ୍ଷାତ କରୁଛୁ। ବ୍ରିକ୍ସ ପରିବାର ସହିତ ଜଡିତ ସମସ୍ତ ନୂତନ ସଦସ୍ୟ ଏବଂ ବନ୍ଧୁମାନଙ୍କୁ ମୁଁ ହୃଦୟରୁ ସ୍ୱାଗତ କରୁଛି। ଗତ ଏକ ବର୍ଷ ମଧ୍ୟରେ ରୁଷିଆର ସଫଳ ରାଷ୍ଟ୍ରପତି ପାଇଁ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ ଜଣାଉଛି। ମୋଦୀ କହିଛନ୍ତି, 'ଆମର ଏହି ବୈଠକ ଏପରି ସମୟରେ ହେଉଛି, ଯେତେବେଳେ ସାରା ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦର ସାମନା କରୁଛି । ଦୁନିଆରେ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନର କଥା ଉଠୁଛି ଏବଂ ପ୍ରଯୁକ୍ତିର ଯୁଗରେ ସାଇବର ସୁରକ୍ଷା, ଡିପ୍ ଫେକ୍, ଗୁଜବ ପରି ନୂଆ ଆହ୍ୱାନ ମଧ୍ୟ ସାମନାରେ ରହିଛି ।'
ପିଏମ୍ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହି ସବୁ ଆହ୍ୱାନର ସାମନା କରିବା ପାଇଁ ବ୍ରିକ୍ସ ରଚନାତ୍ମକ ଭୂମିକା ଗ୍ରହଣ କରିବା ଦରକାର । ସାରା ଦୁନିଆ ବ୍ରିକ୍ସକୁ ଏକ ଜନକଲ୍ୟାଣକାରୀ ସଂଗଠନ ରୂପେ ଦେଖୁ, ବିଭାଜନକାରୀ ଶକ୍ତି ରୂପେ ନୁହେଁ । ଆମେ ଆଜି ଯେଉଁ ସ୍ଥିତିରେ ଅଛୁ, ସେଥିରେ ବ୍ରିକ୍ସଠାରୁ ଅଧିକ ଆଶା ରହିଛି ।

ମୋ ମତରେ ବିବିଧ ଏବଂ ସମାବେଶୀ ମଞ୍ଚ ରୂପେ ବ୍ରିକ୍ସ ସବୁ ପ୍ରସଙ୍ଗରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଆମର ଦୃଷ୍ଟିକୋଣ ଜନ-କୈନ୍ଦ୍ରିକ ରହିବା ଦରକାର । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ଏବଂ କୂଟନୀତିର ମହତ୍ୱ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, 'ବ୍ରିକ୍ସ ଦେଶ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ମିଶି କାମ କରିବା ଦରକାର ।
ଆମେ କଥାବର୍ତ୍ତା ଏବଂ କୂଟନୀତିର ସମର୍ଥନ କରୁଛୁ, ଯୁଦ୍ଧର ନୁହେଁ । ଯେପରି ଆମେ ସମସ୍ତେ ମିଳିମିଶି କରୋନା ପରି ମହାମାରୀକୁ ହରାଇଲୁ, ସେହିପରି ଆମେ ଆଗାମୀ ପିଢି ପାଇଁ ସୁରକ୍ଷିତ, ମଜଭୁତ ଏବଂ ସମୃଦ୍ଧ ଭବିଷ୍ୟତ ଲାଗି ନୂଆ ସୁଯୋଗ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ସକ୍ଷମ ଅଛୁ । ସେହିପରି ସାଇବର ସୁରକ୍ଷା, ସୁରକ୍ଷିତ ଏବଂ ବିଶ୍ୱାସଯୋଗ୍ୟ ଏଆଇ ପାଇଁ ବୈଶ୍ୱିକ ନିୟମକୁ ଆମେ ସମସ୍ତେ ପାଳନ କରିବା ଦରକାର ।'












Click it and Unblock the Notifications