ବିମାନ ଉଡ଼ାଇବେନି ଏହି ଦୁଇ ପାଇଲଟ,ଜାଣନ୍ତୁ କାରଣ....
ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପ୍ରବଳ କୁଆପଥର ମାଡ଼ ଯୋଗୁଁ ମେ ୨୧ ତାରିଖରେ ଶ୍ରୀନଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଯେତେବେଳେ ବିମାନଟି ଅମୃତସର ଉପର ଦେଇ ଯାଉଥିଲା, ସେତେବଳେ କୁଆପଥର ବର୍ଷା ହେବାରୁ ପାଇଲଟ୍ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ କିଛି ସମୟ ପାଇଁ ପାକିସ୍ତାନୀ ଏୟାରସ୍ପେସ୍ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ, କିନ୍ତୁ ଏହାକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଏହି ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟ୍ ବିମାନ ଉଡ଼ାଇ ପାରିବେ ନାହିଁ।
ମାମଲାର ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ପାଇଲଟ ୨ ଜଣ ବିମାନ ଉଡାଇ ପାରିବେନି ବୋଲି ଡିଜିସିଏ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏ କଥାର ଯାଞ୍ଚ କରାଯାଉଛି ଯେ ପହଲଗାମ ଆତଙ୍କବାଦୀ କାଣ୍ଡ ପରେ ପାକିସ୍ତାନ ନିଜ ଏୟାର ସ୍ପେସ୍ କୁ ଭାରତୀୟ ବିମାନଙ୍କ ଲାଗି ବନ୍ଦ କରିଥିଲା। ଏଥିରେ ପାଇଲଟଙ୍କୁ ପାକିସ୍ତାନର 'ନୋଟମ' ସମ୍ପର୍କରେ କିପରି ସୂଚନା ନଥିଲା? ନୋଟମ କାଳରେ ଯଦି ପାକିସ୍ତାନ ବିମାନକୁ ଖସାଇ ଦେଇଥାନ୍ତା ତେବେ ଅନ୍ତର୍ଜାତୀୟ ଆଇନ ଅନୁସାରେ ପାକିସ୍ତାନ ଉପରେ ମକଦ୍ଦମା ରୁଜୁ କରିବା ମଧ୍ୟ କଠିନ ହୋଇଥାନ୍ତା। ଏହା ଛଡା ଝଡ଼ ସତ୍ତ୍ୱେ ପାଇଲଟ ବିମାନକୁ କିପରି ମାର୍ଗରେ ଚଳାଇ ରଖିଲେ ସେ ନେଇ ମଧ୍ୟ ଡିଜିସିଏ ପ୍ରଶ୍ନ ଉଠାଇଛନ୍ତି।

ଦିଲ୍ଲୀ-ଶ୍ରୀନଗର ଉଡାଣ କାଳରେ ବିମାନ ପଠାନକୋଟ ନିକଟରେ ଖରାପ ପାଗ ଓ କୁଆପଥର ବର୍ଷାର ସମ୍ମୁଖୀନ ହୋଇଥିଲା। ତେବେ ସମସ୍ତ ଯାତ୍ରୀଙ୍କ ସହ ବିମାନ ଶ୍ରୀନଗରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଛି। ଡିଜିସିଏ କହିଛନ୍ତି ଯେ ପାଇଲଟ ଉଡାଣ ମାର୍ଗରେ ଖରାପ ପାଗ ପାଇଁ ମାର୍ଗ ବଦଳାଇବାକୁ ମଞ୍ଜୁରୀ ମାଗିଥିଲେ, ହେଲେ ତାଙ୍କୁ ଲାହୋର ଏୟାର ସ୍ପେସ୍ ଯିବାକୁ ମଞ୍ଜୁରୀ ଦିଆଯାଇ ନଥିଲା। ଏହା ପରେ ସେମାନେ ନିର୍ଦ୍ଧାରିତ ମାର୍ଗରେ ଖରାପ ପାଗ ସତ୍ତ୍ୱେ ଯାତ୍ରା ଜାରି ରଖିଥିଲେ।
ନିୟାମକଙ୍କ ଅନୁସାରେ ଚାଳକ ଦଳ ପ୍ରଥମେ ଫେରସ୍ତ ଯିବାକୁ ଉଦ୍ୟମ କରିଥିଲେ। ହେଲେ ସେତେବେଳେ ସେମାନେ ବାଦଲରେ ଘେରି ସାରିଥିଲେ। ଏଣୁ ଖରାପ ପାଗ ସତ୍ତ୍ୱେ ସେମାନେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ। ଖରାପ ପାଗ ଓ କୁଆ ପଥର ମାଡ଼ରେ ବିମାନ ଆଗକୁ ବଢିଥିବା ବେଳେ ଯାତ୍ରୀ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିଲେ। ଏଣୁ ମାମଲାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ପାଇଲଟଙ୍କୁ ଉଡାଣ ଅନୁମତି ନ ଦେବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications