ପୁନରୁଦ୍ଧାର ହେବ ସମାଜ କଲ୍ୟାଣ ବୋର୍ଡ : ଉପମୁଖ୍ୟମନ୍ତ୍ରୀ
ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଶ୍ରୀମତୀ ପରିଡା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଜାମୁ ଓ ଅଁଳା ଚାରା ରୋପଣ କରି ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ 'ଏକ ପେଡ ମା କେ ନାମ'ର ଶୁଭାରମ୍ଭ କରିଛନ୍ତି ।
ସେ କହିଛନ୍ତି ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦୂରଦର୍ଶୀ ଯୋଜନା 'ଏକ ପେଡ ମା କେ ନାମ' ସାରା ଦେଶରେ ଲୋକପ୍ରିୟ ହୋଇଛି । ଆସନ୍ତା ୫୦ ବର୍ଷର ଭବିଷ୍ୟତ ଦୃଷ୍ଟିରେ ରଖି ନିଜ ନିଜ ମା'ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଶ୍ରୀମତୀ ପରିଡା ମତପ୍ରକାଶ କରିଛନ୍ତି । ବରଗଛର ଉପକାରିତାକୁ ଆଲୋକପାତ କରି ଶ୍ରୀମତୀ ପରିଡା ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଅଧିକରୁ ଅଧିକ ବରଗଛ ଲଗେଇବା ପାଇଁ ପରାମର୍ଶ ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତିଷ୍ଠାନ ପରିସରରେ ବ୍ୟାଡମିଣ୍ଟନ୍ ଓ ଭଲିବଲ କୋର୍ଟ ତଥା ଯୋଗ କେନ୍ଦ୍ର ଉଦଘାଟନ କରିଛନ୍ତି । ଏପରି ପଦକ୍ଷେପ, ପ୍ରତିଷ୍ଠାନରେ ତାଲିମ ନେଉଥିବା ଆଇସିଡିଏସ କାର୍ଯ୍ୟକର୍ତ୍ତା, ସୁପରଭାଇଜର ତଥା ଅଙ୍ଗନବାଡି କର୍ମୀମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ପରେ ଉପମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ଅଣସରକାରୀ ସଂଗଠନ ପରାମର୍ଶଦାତା ମଣ୍ଡଳୀ ବୈଠକରେ ଅଧକ୍ଷତା କରି ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ବିକାଶରେ ସମାଜ କଲ୍ୟାଣ ବୋର୍ଡର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ସରକାର ଓ ସ୍ୱେଚ୍ଛାସେବୀ ସଂଗଠନର ସହଭାଗିତାରେ ହିଁ ସମାଜ କଲ୍ୟାଣ ବୋର୍ଡକୁ ସୁଦୃଢ ଭାବରେ ପରିଚାଳିତ କରି ହେବ ।
ବୋର୍ଡର ପୁନରୁଦ୍ଧାର ପାଇଁ ଶ୍ରୀମତୀ ପରିଡା ଅଣସରକାରୀ ସଂଗଠନ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡିକର ପ୍ରସ୍ତାବ ଆହ୍ୱାନ କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ମର୍ମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠନ ପ୍ରତିନିଧିମାନଙ୍କ ଠାରୁ ମିଳିଥିବା ମତାମତ ଓ ପ୍ରସ୍ତାବ ଆଲୋଚନା କରିଥିଲେ ।
ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ପ୍ରସଙ୍ଗ ନେଇ ଏକ କମିଟି ଦ୍ଵାରା ନିଷ୍ପରି ନିଆଯିବ ବୋଲି ଶ୍ରୀମତୀ ଶର୍ମା କହିଥିଲେ । କାର୍ଯ୍ୟକ୍ରମରେ ଆଇସିଡିଏସ ଓ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶକ ଶ୍ରୀମତୀ ମୋନିଶା ବାନାର୍ଜୀ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।












Click it and Unblock the Notifications