ଆଇଏଏସ୍ ଆଶାୟୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠନ କଲା କମିଟି
ନିକଟରେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau's କୋଚିଂ ସେଣ୍ଟରରେ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଏମାନେ ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଠ ପଢିବା ସମୟରେ ହଠାତ୍ ବନ୍ୟା ପାଣି ପଶିଯିବାରୁ ସେଥିରେ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା।
ଏପରି ଏକ ସମ୍ବେଦନଶୀଳ ଘଟଣା ପରେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରା ଯାଇଥିଲା। ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଏହି ଚଢାଉ କରାଯାଇ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ସମେତ ଭଜିରାମ, ରବି ଏବଂ ଶ୍ରୀରାମ କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ MCD 8ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଆଜି ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଏକ କମିଟି ଗଠନ କରିଛି। ମନ୍ତ୍ରଣାଳୟ ଏହି କମିଟି ସଂପୃକ୍ତ ଆଇଏଏସ ଷ୍ଟଡି ସର୍କଲରେ ଘଟଣାର କାରଣ ତଦନ୍ତ କରିବା, ଦାୟିତ୍ୱ ନିର୍ଦ୍ଧାରଣ କରିବା, ପଦକ୍ଷେପ ସୁପାରିସ କରିବା ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ଏଡ଼ାଇବା ପାଇଁ ନୀତି ପରିବର୍ତ୍ତନ ପାଇଁ ସୁପାରିସ କରିବାକୁ ଦାୟିତ୍ୱ ଦେଇଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଦିଲ୍ଲୀ ସରକାରଙ୍କ ପ୍ରମୁଖ ସଚିବ , ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପୁଲିସ କମିସନର, ଅଗ୍ନିଶମ ପରାମର୍ଶଦାତା ଏବଂ ଯୁଗ୍ମ ସଚିବଙ୍କୁ ନେଇ ଗଠିତ ହୋଇଛି କମିଟି । ଏହି କମିଟି ତଦନ୍ତ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ।












Click it and Unblock the Notifications