ଯଶବନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହୃତ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଜବତ ପରେ ଏବେ ତାଙ୍କୁ ନ୍ୟାୟିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ସୋମବାର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କଠାରୁ ତୁରନ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ,ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କଠାରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ତୁରନ୍ତ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରାଯାଉଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୪ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ସମୟରେ ଠାବ ହୋଇଥିବା ବିପୁଳ ପରିମାଣର ନଗଦ ଟଙ୍କାକୁ ନେଇ ବିବାଦ ଘନେଇବାରେ ଲାଗିଛି। ସୁପ୍ରିମ୍କୋର୍ଟ ଗତରାତିରେ ଏ ବାବଦ ଉପଲବ୍ଧ ତଥ୍ୟ ଓ ରିପୋର୍ଟ ସାର୍ବଜନୀନ କରିଥିବାବେଳେ ଏଥିପାଇଁ ଯାଞ୍ଚ କମିଟି ମଧ୍ୟ ଗଠନ ହୋଇଛି।

ଘଟଣାକୁ ନେଇ ଜଷ୍ଟିସ୍ ବର୍ମା କହିଛନ୍ତି ଯେ, ସେ କିମ୍ବା ତାଙ୍କ ପରିବାରର କେହି ଏହି ଟଙ୍କା ବିଷୟରେ ଜାଣି ନାହାନ୍ତି। ଏହି ଘଟଣା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଷଡ଼ଯନ୍ତ୍ର। ସେ କହିଛନ୍ତି, ଟଙ୍କା ସେ ରହୁଥିବା ମୁଖ୍ୟ କୋଠାରୁ ନୁହେଁ, ବରଂ ଆଉଟହାଉସରୁ ମିଳିଛି। ସେ କିମ୍ବା ତାଙ୍କ ପରିବାର ଳୋକେ ସେଠାରେ କେବେ କୌଣସି ଟଙ୍କା ରଖନ୍ତି ନାହିଁ।












Click it and Unblock the Notifications