ପୁଜା ଖେଡକରଙ୍କୁ ଲଗିଲା ବଡ଼ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି। ତାଙ୍କ ଗିରଫଦାରୀକୁ ନେଇ ହୋଇଥିବା ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ପୂଜା ଖେଡକରଙ୍କ ଉପରେ ଶାରୀରିକ ତଥା ମାନସିକ ଅକ୍ଷମତା ଦର୍ଶାଇ ନକଲି ପ୍ରମାଣପତ୍ର, ନାମ ଏବଂ ସରନେମ୍ ବଦଳାଇବା ଏବଂ ଓବିସି ସାର୍ଟିଫିକେଟ୍ ଜାଲିଆତି କରି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି।
ଗତ ବର୍ଷ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ରାଙ୍କ (AIR) ୮୪୧ ପାଇ ପୂଜା ଖେଡକର ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ । ନିକଟରେ ସେ ଭିଆଇପି ଷ୍ଟାଟସ୍ ମାଗିବା ସହ ତାଙ୍କର ବ୍ୟକ୍ତିଗତ ଅଡ଼ିକାରରେ ନାଲି ବତୀ ଲଗାଇବାକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ଏହାପରେ ପଦବୀର ଦୂରୁପୋଯୋଗ ଅଭିଯୋଗରେ ତାଙ୍କୁ ୱାଶିମକୁ ବଦଳି କରା ଯାଇଥିଲା।
ଅତୀତରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ସମୟରେ ମଧ୍ୟ ପୂଜା ଓବିସି (ନନ୍ କ୍ରିମି ଲେୟାର) ସାର୍ଟିଫିକେଟ ବ୍ୟବହାର କରିଥିବା ଜଣାପଡିଛି। ଓବିସି ନୋମାଡିକ୍ ଟ୍ରାଇବ୍-୩ ବର୍ଗର ସାର୍ଟିଫିକେଟ ଦାଖଲ କରି ପୂଜା ପୁଣେସ୍ଥିତ କାଶୀବାଈ ନାଭାଲେ ମେଡିକାଲ କଲେଜରେ ନାମ ଲେଖାଇଥିବା କୁହାଯାଇଛି।

କେବଳ ବଞ୍ଜାରା ସଂପ୍ରଦାୟ ଏଭଳି ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ହୋଇଥିବାବେଳେ ପୂଜା କିପରି ଏହାକୁ ବ୍ୟବହାର କଲେ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୭ ମସିହାରେ ମେଡିକାଲ କଲେଜରେ ନାମ ଲେଖା ସମୟରେ ପୂଜାଙ୍କ ପିତା ଦିଲୀପ ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
ଏପରିକି ନାମଲେଖା ସମୟରେ ପୂଜାଙ୍କ ପ୍ରବେଶିକା ପରୀକ୍ଷା ନମ୍ବରକୁ ବିବେଚନା କରାଯାଇନଥିଲା ବୋଲି ମେଡିକାଲ କଲେଜ ନିର୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି। ଏପରିକି ସେତେବେଳେ ପୂଜା କୌଣସି ଭିନ୍ନକ୍ଷମ ସାର୍ଟିଫିକେଟ ଦାଖଲ କରିନଥିଲେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ପୂଜା ଯେଉଁ ମେଡିକାଲ ସାର୍ଟିଫିକେଟ ଦାଖଲ କରିଥିଲେ, ସେଥିରେ ସେ ଭିନ୍ନକ୍ଷମ ବୋଲି ଆଦୌ ଉଲ୍ଲେଖ କରାଯାଇନଥିଲା।












Click it and Unblock the Notifications