ପଞ୍ଚ ତାରକା ହୋଟେଲକୁ ୨୩ ଲକ୍ଷ ଟଙ୍କାର ଚୂନା ଲଗାଇଲା ଠକ, କର୍ଣ୍ଣାଟକରୁ ହେଲା ଗିରଫ
ପଞ୍ଚ ତାରକା ହୋଟେଲକୁ ୨୩ ଲକ୍ଷ ଟଙ୍କାର ଚୂନା ଲଗାଇଲା ଠକ । କର୍ଣ୍ଣାଟକରୁ ହେଲା ଗିରଫ । ନିଜକୁ ରାଜ ପରିବାରର ପରିଚୟ ଦେଇ ଦୀର୍ଘ ୪ ମାସ କାଳ ସେ ହୋଟେଲରେ ରହିଆସୁଥିଲେ ।

ନୂଆଦିଲ୍ଲୀ:ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲକୁ ୨୩ ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି ଜଣେ ବ୍ୟକ୍ତି । ନିଜକୁ ରାଜ ପରିବାରର ପରିଚୟ ଦେଇ ଦୀର୍ଘ ୪ ମାସ କାଳ ସେ ହୋଟେଲରେ ରହିଆସୁଥିଲେ । ତାଙ୍କ ନାଁରେ ମୋଟ୍ ୨୩ ଲକ୍ଷ ଟଙ୍କାର ବିଲ୍ ହୋଇଥିଲା ହେଲେ ସେ ବିଲ୍ ନ ଦେଇ ଫେରାର୍ ହୋଇଯାଇଥିଲେ । ବର୍ତ୍ତମାନ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।
ଏକ ନକଲି ବ୍ୟବସାୟ କାର୍ଡ ଦେଖାଇ ଅଭିଯୁକ୍ତ ପ୍ରାୟ ୪ ମାସ ଧରି ଲୀଲା ପ୍ୟାଲେସ ହୋଟେଲରେ ରହୁଥିଲେ । ଅଭିଯୁକ୍ତ ମହମ୍ମଦ ଶରିଫଙ୍କୁ କର୍ଣ୍ଣାଟକରୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ନିଜକୁ ୟୁଏଇ ନାଗରିକ ଭାବେ ପରିଚୟ ଦେଇଥିଲେ । ଆବୁଧାବି ରାଜ ପରିବାର ଶେଖ ଫଲା ବିନ ଜାୟଦ ଅଲ ନହୟାନଙ୍କ ଅତି ନିଜର ଭାବେ ପରିଚୟ ଦେଇଥିଲେ । ଯାହା ସହ ସେ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ବି ହୋଟେଲରେ ଦେଇଥିଲେ । ପଞ୍ଚ ତାରକା ହୋଟେଲରେ ସରିଫଙ୍କ ରହିବାର ମୋଟ ମୂଲ୍ୟ ପ୍ରାୟ ୨୩ ଲକ୍ଷ ୪୬ ହଜାର ଟଙ୍କା ବୋଲି
ସୂଚନା ରହିଛି । ସେ ଗତ ବର୍ଷ ଅଗଷ୍ଟ ୧ ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏହି ହୋଟେଲ ରୁମ ନମ୍ବର ୪୨୭ରେ ରହୁଥିଲେ ।
ଅଭିଯୁକ୍ତଙ୍କୁ କୋର୍ଟରେ ହାଜର
ଏହି ଘଟଣା ପରେ ହୋଟେଲ ଜେନେରାଲ ମ୍ୟାନେଜର ଅନୁପମ ଦାସ ଗୁପ୍ତାଙ୍କ ଅଭିଯୋଗରେ ପୋଲିସ ଚଳିତ ବର୍ଷ ଜାନୁଆରୀ ୧୪ ରେ ସରୋଜିନୀ ନଗର ପୋଲିସ ଷ୍ଟେସନରେ ଏଫଆଇଆର ଦିଆଯାଇଥିଲା । ଆଇପିସିର ଧାରା ୪୧୯/୪୨୦/୩୮୦ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପଳାତକ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ଜାନୁଆରୀ ୧୯ ରେ ସରିଫଙ୍କୁ କର୍ଣ୍ଣଟକରୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି ।












Click it and Unblock the Notifications