୧୪ ଦିନିଆ ନ୍ୟାୟିକ ହେପାଜତରେ ଗଲେ ଆପ୍ ବିଧାୟକ
ଦିଲ୍ଲୀର ଏକ କୋର୍ଟ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସେ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ । ଏହାପୂର୍ବରୁ ଇଡି ଅର୍ଥ ହେରଫେର ସମ୍ଵନ୍ଧିତ ଦୁର୍ନୀତି ମାମଲାରେ ଅମାନତୁଲ୍ଲାହଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା । ରାଉସ୍ ଆଭେନ୍ୟୁ କୋର୍ଟଙ୍କ ସ୍ୱତନ୍ତ୍ର ଜଜ୍ ରାକେଶ ସ୍ୟାଲ୍ ଅମାନତୁଲ୍ଲାହଙ୍କୁ ନ୍ୟାୟିକ ହେପାଜତରେ ପଠାଇବାକୁ ନିଷ୍ପତ୍ତି ଶୁଣାଇଛନ୍ତି ।
ଏହାପୂର୍ବରୁ ତଦନ୍ତକାରୀ ସଂସ୍ଥା ୱାକଫ ବୋର୍ଡରେ ଦୁର୍ନୀତି ଅଭିଯୋଗରେ ଏଏପି ନେତା ଅମାନତୁଲ୍ଲାହଙ୍କୁ ସେପ୍ଟେମ୍ବର ୨ରେ ଗିରଫ କରିଥିଲା । ୫ ଘଣ୍ଟାର ଜେରା ପରେ ବାଟଲା ହାଉସରୁ ତାଙ୍କୁ ଗିରଫ କରିଥିଲା ଇଡି ।
ଖବର ମୁତାବକ, ଦିଲ୍ଲୀ ସରକାରର ରାଜସ୍ୱ ବିଭାଗରେ ଏସଡିଏମ ମୁଖ୍ୟାଳୟରେ ନଭେମ୍ବର ୨୦୧୬ରେ ଓ୍ୱାକଫ ବୋର୍ଡର ତତ୍କାଳୀନ ଅଧ୍ୟକ୍ଷ ଅମାନତୁଲ୍ଲାହ ଖାନଙ୍କ ବିପକ୍ଷରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଥିଲା କି, ଓ୍ୱାକଫ ବୋର୍ଡର ଅନେକ ସ୍ୱୀକୃତ ଏବଂ ଅଣସ୍ୱୀକୃତ ପଦବୀରେ ମନଇଚ୍ଛା ଏବଂ ଅବୈଧ ଭାବେ ନିଯୁକ୍ତି ଦେଉଥିଲେ । ସେ ପାଖାପାଖି ୩୨ ଜଣଙ୍କୁ ଏଭଳି ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା ।

ସିବିଆଇ ଯାଞ୍ଚରୁ ଜଣାପଡିଥିଲା କି, ଅମାନତୁଲ୍ଲାହ ଖାନ ମେନବୁବ ଆଲମଙ୍କ ସହିତ ମିଶି ନିଜ ପଦର ଦୁରୁପଯୋଗ କରିଥିଲେ । ଜାଣିଶୁଣି ନିୟମକୁ ଅଣଦେଖା କରି ଭର୍ତ୍ତି ପ୍ରକ୍ରିୟାରେ ହେରଫେର କରି ନିଯୁକ୍ତି ଦେଇଥିଲେ । ଏହାପରେ ସିବିଆଇ କେସ୍ ଦାୟର କରିଥିଲା । ଆଉ ସିବିଆଇ ପରେ ଏହି ମାମଲା ମନି ଲଣ୍ଡ୍ରିଂ ଯାଞ୍ଚ ପାଇଁ ଇଡି ନିକଟରେ କେସ୍ ହୋଇଥିଲା ।












Click it and Unblock the Notifications