Delhi Assembly: ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ହୋଇଥିବା ୬ ବିଜେପି ବିଧାୟକ କିଏ? ଚାଲନ୍ତୁ ଜାଣିବା
ରେଖା ଗୁପ୍ତା ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରେଖାଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ପରବେଶ ସିଂହଙ୍କୁ ସାମିଲ କରାଯାଇଛି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରୁ ପରାଜିତ କରିଥିଲେ।
ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ହୋଇଥିବା ୬ ବିଜେପି ବିଧାୟକ କିଏ?
ରବିନ୍ଦର ଇନ୍ଦରାଜ, କପିଲ ମିଶ୍ରା, ଆଶିଷ ସୁଦ, ମନଜିନ୍ଦର ସିଂହ ସିର୍ସା , ରବୀନ୍ଦ୍ର ଇନ୍ଦ୍ରଜ ସିଂହ ଏବଂ ପଙ୍କଜ କୁମାର ସିଂହ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
୧- ପରବେଶ ବର୍ମା (ନୂଆଦିଲ୍ଲୀ ବିଧାୟକ) : ପରବେଶ ବର୍ମା ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ । ୨୦୨୫ ବିଧାନସଭା ନିର୍ବାଚନରେ ପରବେଶ ବର୍ମା ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରେ ପରାସ୍ତ କରିଥିଲେ। କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସବୁଠାରୁ ଆଗରେ ଥିଲେ। ହେଲେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
୨- ଆଶୀଷ ସୁଦ (ଜନକପୁରୀ ବିଧାୟକ): ଆଶୀଷ ହେଉଛନ୍ତି ବିଜେପିର ଜଣେ ଟାଣୁଆ ନେତା। ସେ ଏକାଧିକ ଥର କାଉନସିଲର ହେବା ସହ ପୂର୍ବତନ ଦକ୍ଷିଣ ଦିଲ୍ଲୀ ପୌର ନିଗମ (ଏସଡିଏମସି)ରେ ଗୃହର ବିରୋଧୀ ଦଳ ନେତା ଭାବେ କାମ କରିଥିଲେ। ସେ ବିଜେପି ପାଇଁ ଗୋଆରେ କାମ କରିବା ସହ ଜମ୍ମ-କଶ୍ମୀରର ସହ ପ୍ରଭାରୀ ମଧ୍ୟ ରହିଥିଲେ।
୩- କପିଲ ମିଶ୍ରା (କରୱାଲ ନଗର ବିଧାୟକ): ୪୪ ବର୍ଷୀୟ କପିଲ ମିଶ୍ରା ଏକମାତ୍ର ବିଜେପି ବିଧାୟକ ଯିଏ ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାରରେ କାମ କରିଛନ୍ତି । ସେ ବିଜେପିକୁ ଆସିବା ପୂର୍ବରୁ ଆପର ବିଧାୟକ ରହିଥିଲେ । ସେ ୨୦୧୫ରୁ ୨୦୧୭ ଯାଏ ଆପ୍ ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ। ଆପ୍ରେ ମନ୍ତ୍ରୀ ଭାବେ କାମ କରିବା ବେଳେ ସେ କେଜ୍ରିୱାଲ ଓ ତତ୍କାଳୀନ PWD ଓ ସ୍ୱାସ୍ଥମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଆପ୍ରୁ ବହିଷ୍କାର କରାଯାଇଥିଲା। ୨୦୧୯ରେ ସେ ବିଜେପିରେ ମିଶିବା ପରେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ମଡେଲ ଟାଉନ ଆସନରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

୪- ମନଜିନ୍ଦର ସିଂହ ସର୍ସା(ରଜୌରୀ ଗାର୍ଡେନ ବିଧାୟକ): ଦିଲ୍ଲୀ ରାଜନୀତିରେ ସିର୍ସାଙ୍କ ବେଶ ଦବଦବା ରହିଛି। ସେ ପୂର୍ବରୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ରହିଥିଲେ। ପୂର୍ବରୁ ମଧ୍ୟ ସେ ଗୋଟିଏ ଥର ରଜୌରୀ ଗାର୍ଡେନରୁ ବିଜୟୀ ହୋଇଥିଲେ। ୨୦୨୫ରେ ସେ ଏଠାରେ ଆପ୍ର ଧନବତୀ ଚାଣ୍ଡେଲାଙ୍କୁ ୧୮,୧୯୦ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଛନ୍ତି।
୫- ରବୀନ୍ଦ୍ର ଇନ୍ଦ୍ରଜ ସିଂହ(ବାୱାନା ବିଧାୟକ): ପୂର୍ବତନ ବିଧାୟକ ଇନ୍ଦ୍ରଜ ସିଂହଙ୍କ ପୁଅ ହେଉଛନ୍ତି ରବୀନ୍ଦ୍ର । ୨୦୨୫ରେ ତାଙ୍କୁ ୧,୧୯,୫୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବେ ଆପର ଜୟ ଭଗବାନ କେବଳ ୩୧,୪୭୫ ଖଣ୍ଡ ଭୋଟ ପାଇଥିଲେ। ତୃଣମୂଳ ସ୍ତରର ଜଣେ ଟାଣୁଆ ନେତା ଭାବେ ରବୀନ୍ଦ୍ରଙ୍କ ବେଶ ଦବଦବା ରହିଛି। ଏହା ତାଙ୍କ ବିଜୟରେ ସହାୟକ ହୋଇଥିବା କୁହାଯାଉଛି।
୬- ପଙ୍କଜ କୁମାର ସିଂହ(ବିକାଶପୁରୀ ବିଧାୟକ): ପଶ୍ଚିମ ଦିଲ୍ଲୀର ବିକାଶପୁରୀ ଆସନରୁ ପଙ୍କଜ କୁମାର ସିଂହ ବିଜୟୀ ହୋଇଛନ୍ତି । ସେ ଏଠାରେ ଆପ୍ର ମହିନ୍ଦର ଯାଦବଙ୍କୁ ୧୨,୮୭୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉକ୍ତ ବିଜୟ ସହ ବିଜେପି ପୁଣିଥରେ ବିକାଶପୁରୀ ଅଞ୍ଚଳରେ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିଛି।












Click it and Unblock the Notifications