ହାଇ ଆଲର୍ଟରେ ଦିଲ୍ଲୀ ବିମାନବନ୍ଦର
ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (IGI) ସମେତ ଦେଶର ସମସ୍ତ ବିମାନବନ୍ଦରକୁ ଉଚ୍ଚ ସ୍ତରୀୟ ସୁରକ୍ଷା ସତର୍କତାରେ ରଖାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) ର ତିନୋଟି ସୁରକ୍ଷା ପରାମର୍ଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଯାହା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଙ୍କଠାରୁ ମିଳିଥିବା ଆକ୍ରମଣ ଜନିତ ସୂଚନାକୁ ଦୃଷ୍ଟିରେ ରଖି ନିଆଯାଇଛି।

କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଆତଙ୍କୀ ଆକ୍ରମଣର ସମ୍ଭାବ୍ୟ ବିପଦ ଥିବାରୁ ଦେଶର ସମସ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପ, ହେଲିପ୍ୟାଡ ଏବଂ ଅନ୍ୟାନ୍ୟ ବିମାନ ଚଳାଚଳ ସଂସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ବିମାନବନ୍ଦରରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି ଏବଂ ଯାତ୍ରୀଙ୍କ ତଲାସୀ ପ୍ରକ୍ରିୟାକୁ ଆହୁରି କଡ଼ା କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରୁ ଅତିକମରେ ତିନି ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି। ଏହା ସୁରକ୍ଷା ଯାଂଚ ଏବଂ ବୋର୍ଡିଂ ପ୍ରକ୍ରିୟାକୁ ସୁଗମ କରିବାରେ ସହାୟକ ହେବ। ଏହା ସହିତ, ବିମାନବନ୍ଦରରେ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି।
ଦେଶର ଅନ୍ୟାନ୍ୟ ପ୍ରମୁଖ ବିମାନବନ୍ଦର ଯଥା କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ ଆଦିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ସହଯୋଗ କରିବାକୁ ଏବଂ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଯାତ୍ରୀମାନଙ୍କୁ ବିମାନ ସୂଚୀ ସମ୍ପର୍କରେ ଅପଡେଟ୍ ରହିବାକୁ ଏବଂ ବୈଧ ପରିଚୟ ପତ୍ର ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ସ୍ଵାଧୀନତା ଦିବସ ଉତ୍ସବକୁ ନିରାପଦରେ ପାଳନ କରିବା ଲକ୍ଷ୍ୟରେ ଏହି ଉଚ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।












Click it and Unblock the Notifications