ଆଫଗାନିସ୍ତାନ ଭୂମିକମ୍ପରେ ୮ଶହ ଛୁଇଁଲା ମୃତ ସଂଖ୍ୟା, ଦୁଃଖ ପ୍ରକାଶ କଲେ ମୋଦୀ ; କହିଲେ..
ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ। ପ୍ରକୃତିର କ୍ରୋଧରେ ମାଟିରେ ମିଶିଛି ଶହ ଶହ ଘର। ମୃତ୍ୟୁ ସଂଖ୍ୟା ୮ ଶହ ଟପିଲାଣି। ରବିବାର ରାତିରେ ଦେଶର ପାର୍ବତ୍ୟ ଅଞ୍ଚଳଗୁଡ଼ିକ ଉପରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରଠାରୁ ୨୭ କିଲୋମିଟର ଦୂରରେ ଥିଲା। ପ୍ରାୟ ଦୁଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ପଞ୍ଚମ ବୃହତ୍ତମ ସହର ଜଲାଲାବାଦରେ ସାରା ରାତି ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ହୋଇଥିଲେ।

ତାଲିବାନ ସରକାରଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସର୍ବାଧିକ କ୍ଷତି କୁନାର ପ୍ରଦେଶରେ ହୋଇଛି। ଏଠାରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତାଲିବାନର ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ପ୍ରଭାବିତ ଅଞ୍ଚଳ ଏକ ଅତ୍ୟନ୍ତ ଦୁର୍ଗମ ଏବଂ କଷ୍ଟକର ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ।
କୁନାର ଅଞ୍ଚଳ ଏକ ଅତ୍ୟନ୍ତ ଗରିବ ଏବଂ ଦୁର୍ଗମ ଅଞ୍ଚଳ। ସେଠାରେ ଅନ୍ତର୍ଜାତୀୟ ସାହାଯ୍ୟ ପହଞ୍ଚିବାକୁ ସମୟ ଲାଗିବ। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ଅଧିକାରୀମାନେ ଆଶଙ୍କା କରୁଛନ୍ତି ଯେ ଭଗ୍ନାବଶେଷ ତଳେ ଆହୁରି ଲୋକ ଚାପି ହୋଇ ରହିପାରନ୍ତି।
ଆଫଗାନିସ୍ତାନରେ ହୋଇଥିବା ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି କହିଛନ୍ତି ଯେ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରେ ଧନଜୀବନ କ୍ଷତି ପାଇଁ ମୁଁ ଗଭୀର ଭାବରେ ଦୁଃଖିତ। ଏହି କଷ୍ଟକର ସମୟରେ ଆମେ ଶୋକସନ୍ତପ୍ତ ପରିବାର ସହିତ ଅଛୁ। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ମାନବୀୟ ସହାୟତା ଏବଂ ରିଲିଫ୍ ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି।"












Click it and Unblock the Notifications