ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ଚେନ୍ନାଇ; ଭାସୁଛି ଗାଡ଼ି, ରାସ୍ତାରେ କୁମ୍ବୀର !
ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ଚେନ୍ନାଇ । ଚାରିଆଡେ ଖାଲି ପାଣି ଆଉ ପାଣି । ଲୋକେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟ ଠୁ ଆରମ୍ଭ କରି ଏୟାରପୋର୍ଟ ସବୁ ଭାସୁଛି ।
ପ୍ରବଳ ବର୍ଷା ଜାରି ରହିଛି । ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସି ଯାଇଛି । କାର ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି ।
ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁ ଚେନ୍ନାଇ ରାଜରାସ୍ତାରେ ବୁଲୁଛି କୁମ୍ଭୀର। ଅନ୍ଧାର ରାତିରେ ରାସ୍ତା ଉପରକୁ ଆସିଯାଇଥିଲା ବିରାଟକାୟ କୁମ୍ଭୀର। ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ ।

ବାତ୍ୟାକୁ ପ୍ରଭାବ ଯୋଗୁଁ ବିଜଳି କାଟ ହୋଇଥିବାବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାରିଆଡ଼େ ପାଣି ଭରି ରହିଥିବାବେଳେ କାର ଗୁଡ଼ିକ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି । ଯାହାର ଭିଡିଓ ସବୁ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଚେନ୍ନାଇରେ ସାଇକ୍ଲୋନ୍ 'ମିଗଜୋମ୍' ଯୋଗୁଁ ବର୍ଷା ସମ୍ବନ୍ଧୀୟ ଘଟଣାରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଦୁଇଜଣ ବ୍ୟକ୍ତି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ବେଳେ ବେସାନ୍ତ ନାଗର ଅଞ୍ଚଳରେ ଏକ ଗଛ ତାଙ୍କ ଉପରେ ପଡ଼ିଯିବା ପରେ ଜଣଙ୍କର ଜୀବନ ଯାଇଥିଲା । ଏଥିସହ ସହରର ବର୍ଷା ପ୍ରଭାବିତ ଅଞ୍ଚଳରେ ପୁରୁଷ ଓ ମହିଳାଙ୍କ ଦୁଇଟି ଅଜ୍ଞାତ ମୃତଦେହ ମିଳିଛି ।
ଏବେ ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା 'ମିଗଜୋମ'। ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି ।
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ଶହେ କିଲୋମିଟର ରହିପାରେ । ତେବେ ଝଟକା ପବନର ବେଗ ୧୧୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ ।












Click it and Unblock the Notifications