ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ବିପର୍ଯ୍ୟୟ’, ଗୁଜରାଟ ଉପକୂଳରେ ଭୀଷଣ ବତାସ, ଉଚ୍ଚ ଜୁଆର
ନୂଆଦିଲ୍ଲୀ: ଜୁନ୍ ୧୫ ତାରିଖରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟା 'ବିପର୍ଯ୍ୟୟ' ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଆଜି ଭାରତୀୟ ପାଣିପାଗ ବିଭାଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍ ଉପକୂଳରେ 'ଅରେଞ୍ଜ୍ ଆଲର୍ଟ' ଜାରି କରିଛି ।
ଜୁନ୍ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା 'ବିପର୍ଯ୍ୟୟ' ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗୁଜରାଟ ଓ ମୁମ୍ବାଇ ଉପକୂଳରେ ଭୀଷଣ ବତାସ, ଉଚ୍ଚ ଜୁଆର ଓ ବର୍ଷା ହେଉଛି।
ଏବେ ବିପର୍ଯ୍ୟୟ ଆରବ ସାଗରରେ ପୋର ବନ୍ଦରଠାରୁ ୩୬୦ କିମି ଦୂରରେ ରହିଛି । ସେହିପରି କରାଚିର ଦକ୍ଷିଣରେ ୬୬୦ କିମି ଦୂରରେ ରହିଛି । ସମୁଦ୍ର ଭିତରେ ବଳ ଗୋଟାଇ ଗତ ୬ ଘଣ୍ଟା ହେବ ୫ କିମି ବେଗରେ ଗତି କରୁଛି ।

ଟ୍ୱିଟ୍ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି, ସୌରାଷ୍ଟ୍ର ଓ କଚ୍ ଉପକୂଳ ନିମନ୍ତେ ବାତ୍ୟା ସତର୍କତା: ଅରେଞ୍ଜ୍ ମେସେଜ୍। ଆଜି ସକାଳ ୫.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା 'ବିପର୍ଯ୍ୟୟ' ୧୯.୨ ଅକ୍ଷାଂଶର ଉତ୍ତର ଓ ୬୭.୭ ଦ୍ରାଘିମାର ପୂର୍ବ ନିକଟ ପୂର୍ବ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର-ପୂର୍ବ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ସ୍ଥଳଭାଗରୁ ଏହା ଦେବଭୂମି ଦ୍ବାରକାର ଦକ୍ଷିଣ ଦକ୍ଷିଣ-ପଶ୍ଚିମରୁ ପ୍ରାୟ ୩୮୦ କିଲୋମିଟର୍ ଦୂରରେ ରହିଛି । ଜୁନ୍ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଜଖୌ ବନ୍ଦର ଅତିକ୍ରମ କରିବାର ସମ୍ଭାବନା ରହିଛି ।
ସେହିପରି ଆଇଏମଡି ସୂଚନା ଅନୁଯାୟୀ, ଏବେ ମୁମ୍ବାଇ, ନଭି ମୁମ୍ବାଇ, ଠାଣେ, ପାଲଘର ସମେତ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ଜୁନ ୧୫ ମଧ୍ୟାହ୍ନରେ ପବନର ବେଗ ବୃଦ୍ଧି ପାଇଁ ୧୨୫ରୁ ୧୩୦ କିମି ଘଣ୍ଟା ପ୍ରତି ରହିବ । ଉପକୂଳ ଅଞ୍ଚଳରେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏନଡଆରଏଫ ଏବଂ ଏସଡିଆରଏଫ ଦଳଙ୍କୁ ଉପକୂଳ ଇଲାକାରେ ମୁତୟନ କରାଯାଇଛି ।
ପାଣିପାଗ ବିଭାଗ ଅନୁସାରେ, କେରଳ, କର୍ଣ୍ଣାଟକ, ଗୋଆ, ଅରୁଣାଚଳ, ଆସାମ, ମେଘାଳୟରେ ୧୨ ଜୁନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆଣ୍ଡାମାନ ନିକୋବର ଦ୍ୱୀପ ସମୂହ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ଗୁଜରାଟରେ ଆଜିଠାରୁ ୧୫ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି ।












Click it and Unblock the Notifications