ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବିପର୍ଯ୍ୟୟ’
Cyclone Biparjoy Update: ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା 'ବିପର୍ଯ୍ୟୟ' । ଉତ୍ତର ଆରବ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି ।
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ ମାଣ୍ଡଭି ଅଞ୍ଚଳର ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସହିତ ପାକିସ୍ତାନ ଆଡକୁ ଗତି କରିବ। ଏହି ସମୟରେ ଘଣ୍ଟାକୁ ୧୩୫ ରୁ ୧୪୦ କିମି ବେଗରେ ପବନ ବୋହିବ ଏବଂ ଭୀଷଣରୁ ଅତି ଭୀଷଣ ମାତ୍ରାରେ ବର୍ଷା ହେବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା ଜଖୌ ବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣପଶ୍ଚିମଠୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି ଲ୍ୟାଣ୍ଡଫଲ୍ ବେଳକୁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି ।
ତେବେ ଗୁଜରାଟର କଚ୍ଛ ଓ ଦ୍ୱାରକା ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି। ଗୁଜରାଟ ଉପକୂଳରେ ସମୁଦ୍ର ଆଶାନ୍ତ ହୋଇପଡ଼ିବା ସହିତ ବହୁ ଉଚ୍ଚତାରେ ଲହଡ଼ି ଦେଖାଯାଇଛି। ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି। କଚ୍ଛ ଅଞ୍ଚଳର ୬୫ ଗାଁରେ ବିଜୁଳି ସେବା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ହଜାରରୁ ଅଧିକ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳ ଦେଇ ଗତି କରୁଥିବା ୬୯ଟି ଟ୍ରେନର ଚଳାଚଳକୁ ବାତିଲ କରିଦିଆଯାଇଛି । ବାତ୍ୟା ଦୃଷ୍ଟିରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରୁ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖିଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ କରାଯାଇଛି | ଏହାଛଡ଼ା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୧୫ ଟିମକୁ ଷ୍ଟାଣ୍ଡବାଇରେ ରଖାଯାଇଛି ।












Click it and Unblock the Notifications