'ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବିକ ଅଧିକାର ପ୍ରତି ନୂଆ ବିପଦ'
ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବିକ ଅଧିକାର ପ୍ରତି ନୂତନ ବିପଦ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି । ଆଜି ମାନବ ଅଧିକାର ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି ।
ସମସ୍ତଙ୍କ ଅଧିକାର ଏବଂ ସମ୍ମାନ ରକ୍ଷା କରିବା ଲାଗି ସମାନ ଡିଜିଟାଲ୍ ପରିବେଶ ସୁନିଶ୍ଚିତ କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ଡିଜିଟାଲ୍ ଯୁଗ ପରିବର୍ତ୍ତନ ଶୀଳ, ତେବେ ସାଇବର ଅପରାଧ, ଡିପ୍ ଫେକ୍, ଗୋପନୀୟତା ଏବଂ ଭୁଲ୍ ତଥ୍ୟର ପ୍ରସାରଣ ଭଳି ସମସ୍ୟା ଏକ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି । ଦେଶରେ ସବୁ ବର୍ଗ ଲୋକଙ୍କର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଦିଗରେ ଜାତୀୟ ମାନବାଧିକାର ଆୟୋଗଙ୍କର ସକ୍ରିୟ ଭୂମିକାକୁ ଏହି ଅବସରରେ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ।
ଏଥିସହିତ ଏ କ୍ଷେତ୍ରରେ ବିଭିନ୍ନ ନୀତ କାର୍ଯ୍ୟକାରୀ କରିବା ଲାଗି ପରାମର୍ଶ ଦେବା ଏବଂ ସଚେତନତା ସୃଷ୍ଟି କରିବା ଦିଗରେ ଆୟୋଗଙ୍କ ଅବଦାନ ସ୍ମରଣୀୟ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ, କ୍ଷୁଦା ମୂଳୋତ୍ପାଟନ ଏବଂ ଯୁବବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ବିଭିନ୍ନ ଐତିହାସିକ ନୀତି କାର୍ଯ୍ୟକାରି କରି ଭାରତ ବିଶ୍ୱ ସମ୍ମୁଖରେ ଏକ ଉଜ୍ୱଳ ଉଦାହରଣ ସାଜିଛି ।

ଭାରତ ଏହାର ସଭ୍ୟତା, ଐତିହ୍ୟ, ସହାନୁଭୂତି ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ଉପରେ ରାଷ୍ଟ୍ରପତି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ମାନବାଧିକାର ଆୟୋଗଙ୍କର ତିନୋଟି ସ୍ମରଣୀକାର ଉନ୍ମୋଚନ କରିଛନ୍ତି । ଏଠାରେ ସୂଚନା ଦିଆଯାଇପାରେ ସାରା ବିଶ୍ୱରେ ମାନବାଧିକାରର ସୁରକ୍ଷା ନିମନ୍ତେ ୧୯୪୮ ମସିହା ଆଜିର ଦିନରେ ଜାତିସଂଘ ସାଧାରଣ ସଭା ଦ୍ୱାରା ମାନବାଧିକାର ସମ୍ପର୍କିତ ଘୋଷଣାନାମା ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ମାନବାଧିକାର ଦିବସର ବିଷୟବସ୍ତୁ ରହିଛି, 'ଆମ ଅଧିକାର, ଆମ ଭବିଷ୍ୟତ, ବର୍ତ୍ତମାନ' ।












Click it and Unblock the Notifications