ମହାକୁମ୍ଭରେ ମହାଭିଡ଼: ଟ୍ରେନର ଏସି କୋଚ୍ ମଧ୍ୟ ଜେନେରାଲ ବଗିଠାରୁ ହୀନ
ରାତି ପାହିଲେ ପୂର୍ଣ୍ଣମୀ । ମହାକୁମ୍ଭରେ ବୁଡ଼ ପକାଇବେ କୋଟି କୋଟି ଶ୍ରଦ୍ଧାଳୁ । ବସ୍, ଟ୍ରେନ୍, ପ୍ଲେନ୍ ଓ ପ୍ରାଇଭେଟ୍ କାର୍ ସତେ ଯେମିତି ଫିକା ପଡ଼ିଯାଇଛି । କୋଟି କୋଟି ଲୋକ ଏକା ସାଙ୍ଗରେ ପ୍ରୟାଗରାଜ ଯାଉଥିବାରୁ ଗାଡ଼ି ମିଳୁନି । ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି ଟ୍ରେନ୍ରେ ।
ରାତିଦିନ ୨୪ ଘଣ୍ଟା ସେଠାରେ ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ପାଖାପାଖି ମାସେ ହେବେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି ।
ପ୍ରୟାଗରାଜର ଆଖପାଖ ଜିଲ୍ଲା ବନାରସ, କାନପୁର, ଫତେହପୁର, କଟଣୀ, ସତନା ଏବଂ ରିୱା ଷ୍ଟେସନ ଫୁଲ୍ ରହିଛି । ଯାତ୍ରୀ ଷ୍ଟେସନରେ ପାଦ ରଖିବାକୁ ମଧ୍ୟ ଜାଗା ନାହିଁ । ଏହାଛଡା ଜେନେରାଲ ବଗିର ଅବସ୍ଥା ତ ଯାହା ହେଉଛି ହେଉଛି ଏସି ବଗିରେ ବି ଛିଡ଼ା ହେବାକୁ ଜାଗା ନାହିଁ । ଟ୍ରେନ୍ରେ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ସେମାନେ ବି ନାନାପ୍ରକାର ଅସୁବିଧାର ସାମ୍ନା କରୁଛନ୍ତି । କାରଣ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇନି ସେମାନେ ବି ରିଜରଭେସନ୍ ବଗିରେ ଚଢି ଯାତ୍ରା କରୁଛନ୍ତି । ଯେଉଁମାନେ ସଂରକ୍ଷିତ ବଗିରେ ଚଢିପାରୁନାହାନ୍ତି ସେମାନେ ଜେନେରାଲ ଶ୍ରେଣୀରେ ଧକ୍କା ଖାଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।

ଗତକାଲିଠୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ ଥିଲା । ଅର୍ଥାତ୍ ଘରୋଇ ଗାଡ଼ି ଗୁଡ଼ିକ ଗୋଟିଏ ଜାଗାରେ ଘଂଟା ଘଂଟା ଧରି ଛିଡ଼ା ହୋଇଥିଲା । ଏମିତି ସ୍ଥିତିରେ ରେଲୱେ ଉପରେ ଅଧିକାଂଶ ଲୋକ ନିର୍ଭର କରୁଥିଲେ । ତେଣୁ ଟ୍ରେନ୍ରେ ସ୍ଥିତି କଣ ହୋଇଥିବ ତାହା ସ୍ପଷ୍ଟ ଅନୁମେୟ । ସେପଟେ ଯାତ୍ରୀ କହୁଛନ୍ତି, ଆମେ ଘରୋଇ ଗାଡ଼ିରେ ଭଡ଼ା ଦେଇ ଯାତ୍ରା କରିବା ସମ୍ଭବ ନୁହେଁ । ତେଣୁ ଟ୍ରେନ୍ ହିଁ ଏକମାତ୍ର ଭରସା ।
ଅତ୍ୟଧିକ ଭିଡ଼ ହେତୁ ରେଲୱେ କର୍ତ୍ତୃପକ୍ଷ ସଂଗମ ଷ୍ଟେସନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନୋଟିସ୍ ମଧ୍ୟ ଜାରି କରାଯାଇଛି । କୁହାଯାଇଛି କି, ଅତ୍ୟଧିକ ଭିଡ଼ ଲାଗି ଏମିତି ନିଷ୍ପତ୍ତି ନେବାକୁ ପଡ଼ିଲା । ଭିଡ଼ ନିୟନ୍ତ୍ରଣ ହେଲେ ପୁଣି ଥରେ ସଂଗମ ଷ୍ଟେସନ ସ୍ବାଭାବିକ ଭାବରେ କାମ କରିବ ।












Click it and Unblock the Notifications