ଚାନ୍ଦିପୁର ଡିଆର୍ଡିଓ ହନିଟ୍ରାପ ମାମଲା: ରହସ୍ୟମୟୀ ଯୁବତୀଙ୍କ ଫଟୋ ଟ୍ରାକ କଲା କ୍ରାଇମ ବ୍ରାଞ୍ଚ
ଭୁବନେଶ୍ବର: ଚାନ୍ଦିପୁର ଡିଆର୍ଡିଓରୁ ହନିଟ୍ରାପରେ ଫସାଇ ଗୁପ୍ତ ତଥ୍ୟ ହାସଲ୍ କରିଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋକୁ ଟ୍ରାକ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ସୋଶଲ ମିଡିଆରେ ଅଲଗା ଅଲଗା ୭ଟି ଆକାଉଣ୍ଟ ଖୋଲି ନିଜ ପ୍ରେମ ଜାଲରେ ଫସାଉଥିବା ରହସ୍ୟମୟୀଙ୍କ ଗୋଟିଏ ଆକାଉଣ୍ଟରେ ପ୍ରୋଫାଇଲ ଫଟୋ ସହ ଭିଡିଓ କଲ୍ ମ୍ୟାଚ କରୁଥିବା ଜଣାଯାଇଛି। ଏହି ରହସ୍ୟମୟୀଙ୍କୁ ଠାବ କରିବାକୁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେହିପରି ତଥ୍ୟ ଯାଞ୍ଚ ହେଲା ପରେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଅଣାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି ।

ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଛଡ଼ା ଆଉ କିପରି ଟଙ୍କା ପଠାଉଥିଲେ ରହସ୍ୟମୟୀ ତାହାର ତଦନ୍ତ କରାଯାଉଛି । ଏକ ତଦନ୍ତକାରୀ ଟିମ୍ ବାଲେଶ୍ୱରରେ ଥିବା ବେଳେ ଏ ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ଯେଉଁ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସୁଥିଲା, ତାହା ମହିଳାଙ୍କର ନା ତାଙ୍କ ସହଯୋଗୀଙ୍କ ଆକାଉଣ୍ଟ ସେ ନେଇ ନିର୍ଧାରିତ ଭାବରେ ପ୍ରମାଣ ମିଳିନି। ଅନ୍ୟ ଦେଶର ସହାୟତା ନେବାକୁ ଚାହିଁଲେ ଇଣ୍ଟରପୋଲର ସହାୟତା ନେବାକୁ ପଡ଼ିଥାଏ। ତେଣୁ ଆମେ ବି ଏହି ସଂସ୍ଥାର ସହାୟତା ଲୋଡ଼ିଛୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।
କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ, ଏହି ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍କୁ ୮ ମାସ ଧରି ହ୍ୟାକ୍ କରି ରଖିଥିଲେ। ଆଉ ଏହି ମୋଇବାଲ୍ ଜରିଆରେ ସେ ଚାନ୍ଦିପୁର ଡିଆର୍ଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିଥିଲେ।ମହିଳା ଜଣକ ଅଭିଯୁକ୍ତ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ। ଆଉ ଏସବୁ କିଛି ରହସ୍ୟମୟୀ ମହିଳା ଜଣକ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମହିଳା ଜଣକ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେବା ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଆସିବାକୁ ଚାହୁଁଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ସେହିପରି ରହସ୍ୟମୟୀ ମହିଳା ଜଣକ ଅଭିଯୁକ୍ତମାନଙ୍କ ସହିତ ଭିଡିଓ କଲ୍ରେ କଥା ହୋଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିଲେ ଏବଂ ୟୁକେ ର ଫୋନ ନମ୍ବର ବ୍ୟବହାର କରି ଅଭିଯୁକ୍ତ ମାନଙ୍କ ସହିତ କଥା ହେଉଥିଲେ ।












Click it and Unblock the Notifications