ପୋଲିସ SI ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ପୋଲିସ SI ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା। SI ପରୀକ୍ଷା ଜାଲିଆତିରେ ଆହୁରି ଅନେକ ଦଲାଲଙ୍କ ସଂପୃକ୍ତି ସୂଚନା। ପ୍ରତି ଆଶାୟୀଙ୍କ ସହ ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ।

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି) ଦ୍ବାରା ପରିଚାଳିତ ପୁଲିସ ଏସ୍ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି । ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ଏହି କେେଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା । ଏଭଳି ଘଟଣା ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବ୍ରହ୍ମପୁରରେ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଏସ୍ପିଙ୍କ ନେତୃତ୍ବରେ ୫ ଜଣ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଟିମ୍ ବାଲେଶ୍ବର ଓ ବ୍ରହ୍ମପୁରରେ ତଦନ୍ତ କରୁଥିବା ବେଳେ ସେମାନଙ୍କୁ ଉକ୍ତ ଜିଲ୍ଲା ପୁଲିସର ଆଉ ଏକ ଟିମ୍ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି ।
ସୂଚନା ଅନୁଯାୟୀ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ପକ୍ଷରୁ ପୁଲିସ ଏସ୍ଆଇ ସମେତ ପୁଲିସ ଏସ୍ଆଇ( ଆର୍ମଡ), ଅଗ୍ନିଶମ ଷ୍ଟେସନ ଅଫିସର, ସହକାରୀ ଜେଲର୍ ପାଇଁ ଯୁଗ୍ମ ପୁଲିସ ସେବା ପରୀକ୍ଷା(ସିପିଏସ୍ଇ-୨୦୨୪)ରେ ମୋଟ ୧ ଲକ୍ଷ ୫୩ ହଜାର ୫୦୦ ପ୍ରାର୍ଥୀ ଆବେଦନ କରିଥିଲେ । ୯୩୩ ପଦବି ପୂରଣ ପାଇଁ ଏହି ପରୀକ୍ଷା ଓପିଆର୍ବି ପକ୍ଷରୁ କରାଯାଇଥାନ୍ତା । ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାରେ କେବଳ ପୁଲିସ ଏସ୍ଆଇ ପଦବି ପାଇଁ ୬୦୦ ପାଖାପାଖି ପ୍ରାର୍ଥୀ ଆବେଦନ କରିଥିଲେ । ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ସୋମବାର ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ସଂକ୍ରାନ୍ତରେ ଏକ ଗୁଇନ୍ଦା ସୂଚନା ଓପିଆର୍ବିର ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା । ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି । ଅଧ୍ୟକ୍ଷଙ୍କ ପକ୍ଷରୁ ଏ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଛି । ଯେଉଁ ସୂତ୍ରରୁ ଏ ପ୍ରକାର ତଥ୍ୟ ହସ୍ତଗତ ହୋଇଥିଲା, ସେ ସମ୍ପର୍କିତ ତଥ୍ୟ ଏବଂ ଯୋଗାଯୋଗ ନମ୍ବର କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି ।












Click it and Unblock the Notifications