ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ସିନେମା ହଲ୍ରେ 50 ପ୍ରତିଶତ ଦର୍ଶକ, ଖୋଲିବ ସ୍ଵିମିଂ ପୁଲ୍
ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି କରୋନା ଗାଇଡଲାଇନ। ନୂତନ ମାର୍ଗଦର୍ଶିକା ଅନୁଯାୟୀ ସିନେମା ହଲ୍ରେ ଏବେ ୫୦ ପ୍ରତିଶତରୁ ଅଧିକ କ୍ଷମତା ସହ ଲୋକଙ୍କୁ ବସିବାକୁ ଅନୁମତି ଦିଆଯାଇଛି। ଏଥିସହ ସାଧାରଣ ଲୋକଙ୍କୁ ସ୍ଵିମିଂ ପୁଲ୍ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି।

ସଂକ୍ରମଣ ବଢ଼ିଲେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ। କଣ୍ଟେନମେଣ୍ଟ ଜୋନ୍ରେ କେବଳ ଜରୁରୀ ସେବା ବ୍ୟତୀତ ଆଉ କୌଣସି ସେବାକୁ ଅନୁମତି ମିଳିବ ନାହିଁ। ସେହିପରି ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳରେ କୌଣସି କଟକଣା ନାହିଁ। ପୂର୍ବଭଳି ଘରୋଇ ବିମାନ ସେବା ଜାରି ରହିବ। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ, ହୋଟେଲ୍ସ, ପାର୍କରେ ପୂର୍ବରୁ ଜାରି ହୋଇଥିବା କଟକଣା ଲାଗୁ ହେବ।
ରାଜ୍ୟ ଭିତରେ ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ ଉପରେ କୌଣସି ପ୍ରକାରର କଟକଣା ନାହିଁ। ଏଥିସହ କେନ୍ଦ୍ର ପକ୍ଷରୁ ୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତି, ଅନ୍ୟ ଗମ୍ଭୀର ରୋଗରେ ପୀଡିତ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସ ପିଲାଙ୍କ ପ୍ରତି ଜରୁରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।


Click it and Unblock the Notifications