ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି , ଅଗଷ୍ଟ ୨୧ ପୂର୍ବରୁ ଗିରଫ କରି ପାରିବନି ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ଦିବ୍ୟାଙ୍ଗ କୋଟାର ସୁବିଧା ପାଇବା ଅଭିଯୋଗରେ ଖେଡକରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଦିଲ୍ଲୀ ପୋଲିସ ଏବଂ ୟୁପିଏସିକୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ପୂଜା ଖେଡକରଙ୍କ ଆଗୁଆ ଜାମିନ ଉପରେ ଶୁଣାଣି ଅଗଷ୍ଟ ୨୧ରେ ହେବ। ସେପର୍ଯ୍ୟନ୍ତ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି।
ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଖେଡକରଙ୍କ ଜାମିନ ଆବେଦନ କରାଯାଇଥିଲା। ଏହି ସମୟରେ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ଖେଡକରଙ୍କ ପକ୍ଷରୁ ନରେଶ କୌଶିକ ୟୁପିଏସସି ପକ୍ଷରୁ ହାଜର ହୋଇଥିଲେ। ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ ଖେଡକର ତାଙ୍କର ନାମ, ପିତାମାତାଙ୍କ ନାମ, ଫଟୋଗ୍ରାଫ୍, ଦସ୍ତଖତ, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଏବଂ ଠିକଣା ବଦଳାଇବା ଆଦି ପରିବର୍ତ୍ତନ କରି ତଥ୍ୟ ଜମା କରିଥିବା ଅଭିଯୋଗ ହୋଇଥିଲା

ଏହି କାରଣରୁ ୟୁପିଏସସି ତାଙ୍କ ବିରୋଧରେ ପୁଲିସ ମାମଲା ଦାୟର କରିଥିଲା। ଯାହା ଦ୍ବାରା ଜୁଲାଇ ୩୧ ତାରିଖରେ ତାଙ୍କ ପ୍ରାର୍ଥୀପତ୍ର ବାତିଲ ହୋଇଯାଇଥିଲା। ଏହାପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଖେଡକରଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ। ପ୍ରକାଶ ଥାଉକି, ପଦର ଅପବ୍ୟବହାର ଏବଂ ଆବଶ୍ୟକତାଠାରୁ ଅଧିକ ସେବା ଦାବି କରିବା ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା।
ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ନକଲି ଭିନ୍ନକ୍ଷମ ଏବଂ ଜାତିଗତ ସାର୍ଟିଫିକେଟ ଦାଖଲ କରିଥିବା ଜଣା ପଡିଥିଲା। ଏହାପରେ ଆଇଏଏସ ଏକାଡେମୀ ପକ୍ଷରୁ ତଦନ୍ତ କରାଯାଇ ତାଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା। ଏପରିକି UPSC ତାଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ପରୀକ୍ଷାରୁ ମଧ୍ୟ ବାରଣ କରିଥିଲା। ଏହାର ଅର୍ଥ ପୂଜା ଖେଡକର ବର୍ତ୍ତମାନ ଆଇଏଏସ ନୁହଁନ୍ତି କି ଆଗକୁ ମଧ୍ୟ କୌଣସି ପ୍ରକାର ପ୍ରଶାସନିକ ପରୀକ୍ଷା ଦେଇ ପାରିବେ ନାହିଁ।












Click it and Unblock the Notifications