ଅଜିତ୍ଙ୍କ ପତ୍ନୀ ସୁନେତ୍ରା ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ ?
ମହାରାଷ୍ଟ୍ରରେ ଏକ ବିରାଟ ଶୂନ୍ୟତା । ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଦେହାନ୍ତ ପରେ ମଉନ ମହାରାଷ୍ଟ୍ର । କାନ୍ଦୁଛନ୍ତି ଜନତା, ଝୁୁରୁଛନ୍ତି ନେତା-ମନ୍ତ୍ରୀ ସହକର୍ମୀ । ଗତକାଲି ଅଜିତ୍ଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଛି । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏବେ କିଏ ହେବ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଜିତ୍ ପାୱାରଙ୍କ ନିଧନ ପରେ ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗୁରୁବାର ଅଜିତଙ୍କ ଅନ୍ତିମ ସଂସ୍କାର ଶେଷ ହେବା ପରେ ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ସୁନୀଲ ତଟକରେଙ୍କ ଭଳି ବରିଷ୍ଠ ଏନ୍ସିପି ନେତା ସୁନେତ୍ରାଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି । ଏହି ପ୍ରସ୍ତାବକୁ ନେଇ ସେମାନେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ମଧ୍ୟ ସାକ୍ଷାତ କରିବେ । ଯଦି ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଏ ତେବେ ତାଙ୍କୁ ଅଜିତଙ୍କ ନିଧନ ପରେ ଖାଲି ହୋଇଥିବା ବାରାମତୀ ଆସନରୁ ଉପନିର୍ବାଚନରେ ଜିତିବାକୁ ପଡି଼ବ । ବର୍ତ୍ତମାନ ସୁନେତ୍ରା ରାଜ୍ୟସଭା ସାଂସଦ ଅଛନ୍ତି । ପୂର୍ବରୁ ଗୁରୁବାର ଅଜିତଙ୍କ ସହ ଘନିଷ୍ଠ ଥିବା ଏନ୍ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନରହରି ଜିରୱାଲ ମଧ୍ୟ ଏହି ଚର୍ଚ୍ଚା ସପକ୍ଷରେ ଟିପ୍ପଣୀ ଦେଇଥିଲେ । ଲୋକେ ସୁନେତ୍ରାଙ୍କୁ ମନ୍ତ୍ରଣାଳୟରେ ସାମିଲ କରାଯିବାକୁ ଚାହୁଁଥିବା ସେ ପ୍ରକାଶ କରିଥିଲେ ।
ଏନ୍ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ସଂପର୍କରେ ଜିରୱାଲ କହିଥିଲେ ଯେ, ଦୁଇ ଗୋଷ୍ଠୀ ଏକାଠି ଅଛନ୍ତି । ବିକ୍ଷିପ୍ତ ହୋଇ ରହିବାର କିଛି ଅର୍ଥ ନାହିଁ ବୋଲି ସମସ୍ତେ ବୁଝିଯାଇଛନ୍ତି । ଇତିମଧ୍ୟରେ ବରିଷ୍ଠ ନେତା ପ୍ରଫୁଲ ପଟେଲଙ୍କୁ ଦଳର ମୁଖ୍ୟ କରାଯିବା ନେଇ ଚର୍ଚ୍ଚା ଚାଲିଛି । ସୂଚନାଥାଉକି, ଅଜିତ ପାୱାରଙ୍କ ଏନ୍ସିପି ଏବେ ରାଜ୍ୟରେ ଶାସକ ମହାୟୁତି ମେଣ୍ଟର ଅଂଶବିଶେଷ ରହିଛି । ୨୦୨୪ ବିଧାନସଭା ନିର୍ବାଚନରେ ଦଳ ୪୧ଟି ଆସନ ପାଇଥିଲା ।
ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ନିଧନ ହୋଇଥିଲା । ତା'ର ଦିନକ ପରେ ସେ ଯେଉଁ ଚାର୍ଟାର୍ଡ ବିମାନରେ ଯାତ୍ରା କରୁଥିଲେ ତାର ବ୍ଲାକ୍ବକ୍ସ ଉଦ୍ଧାର ହୋଇଛି । ଦୁର୍ଘଟଣାର କାରଣ ସଂପର୍କରେ ଜାଣିବାକୁ ତାର ଯାଞ୍ଚ କରାଯିବ । ଏଥିଲାଗି ଦିଲ୍ଲୀରୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ(ଏଏଆଇବି) ଏବଂ ମୁମ୍ବାଇସ୍ଥିତ ଡିଜିସିଏର ଟିମ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରକାଶ କରିଛି ।












Click it and Unblock the Notifications