ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ
ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଆଜି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାନୁସାରେ, ତାଙ୍କ ଦଳ ଏବଂ ସହଯୋଗୀମାନଙ୍କ ସହ ଆଲୋଚନା ପରେ କଂଗ୍ରେସ ସଭାପତି ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ସାମିଲ ହେବେ। ଆଜି ସନ୍ଧ୍ୟା ୭.୧୫ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।
ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୯ ହଜାରରୁ ଅଧିକ ଅତିଥି ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବେ ଖଡଗେଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଥିଲା। ସେ ନିମନ୍ତ୍ରଣ ପାଇବା ପରେ ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।
ଶନିବାର ରାତିରେ ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ଖଡଗେଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା। ଏହାପରେ ଖଡଗେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବକୁ ଯିବା ପାଇଁ ରାଜି ହୋଇଛନ୍ତି। ଶନିବାର ଇଣ୍ଡିଆ ବ୍ଲକର ନେତାମାନେ ଶପଥପାଠ ଉତ୍ସବ ପାଇଁ ନିମନ୍ତ୍ରଣ ପାଇ ନଥିବା କହିଥିଲେ। ଏପରି ଅଭିଯୋଗ ଆସିବାର କିଛି ଘଣ୍ଟା ପରେ ଖଡଗେଙ୍କ ପାଖରେ ନିମନ୍ତ୍ରଣପତ୍ର ପହଞ୍ଚିଥିଲା।












Click it and Unblock the Notifications