ବଜେଟ୍ ଅଧିବେଶନ ସମ୍ପର୍କରେ କଂଗ୍ରେସ ବୈଠକ, ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ
ନୂଆଦିଲ୍ଲୀ : ଆସନ୍ତା ବଜେଟ୍ ଅଧିବେଶନ ସମ୍ପର୍କରେ କଂଗ୍ରେସର ଏକ ବୈଠକ ହୋଇଛି । ଯେଉଁଥିରେ ଅଧିବେଶନ ସମୟରେ ଗୃହ ମଧ୍ୟରେ ଦଳର ରଣନୀତି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କରୋନା ମହାମାରୀରେ ପ୍ରଭାବିତ ପରିବାରଙ୍କ ପାଇଁ ସହାୟତା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚାଷୀଙ୍କ ସମସ୍ୟା, ଚୀନ ପକ୍ଷରୁ ଏନକାଉଣ୍ଟର ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ରହିବାକୁ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସର ସଂସଦୀୟ ରଣନୀତି ଗୋଷ୍ଠୀର ଏହି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି ।

କଂଗ୍ରେସ ଏହି ବୈଠକରେ ନିଷ୍ପତ୍ତି ନେଇଛି ଯେ ଏହି ଅଧିବେଶନରେ କୋଭିଡ ମହାମାରୀ ଦ୍ୱାରା ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ ପ୍ୟାକେଜର ଦାବି କଂଗ୍ରେସ ଜୋରଦାର କରିବ । ଏହା ସହିତ ସୀମାରେ ଚୀନ୍ ର ଆକ୍ରମଣାତ୍ମକ ମନୋଭାବ, ଦରଦାମ ବୃଦ୍ଧି, ବେରୋଜଗାରୀ, ଅର୍ଥବ୍ୟବସ୍ଥା ହ୍ରାସ, ଏୟାର ଇଣ୍ଡିଆକୁ ଘରୋଇ ହାତରେ ଟେକିଦେବା ଏବଂ ଚାଷୀଙ୍କ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରି ରହିବ । ଦଳର ସଭାପତି ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଆଧୀର ରଂଜନ ଚୌଧୁରୀ, ଏ.କେ ଆଣ୍ଟୋନି, କେସି ଭେନୁଗୋପାଲ, ଆନନ୍ଦ ଶର୍ମା, ଜୟରାମ ରମେଶ ଏବଂ ମନୀଷ ତିୱାରୀଙ୍କ ସମେତ ଅଧିକାଂଶ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।
ଆପଣଙ୍କୁ କହି ରଖୁଛୁ ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ 31 ରୁ ଆରମ୍ଭ ହେଉଛି । ବଜେଟ୍ ଅଧିବେଶନର ସୁପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର 31 ତାରିଖ ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ସହିତ ଅଧିବେଶନ ଆରମ୍ଭ ହେବ । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ରେ ବଜେଟ୍ ଉପସ୍ଥାପନ କରିବେ । କୋଭିଡକୁ ଦୃଷ୍ଟିରେ ରଖି ଏଥର କିଛି ବିଶେଷ ବ୍ୟବସ୍ଥା କରାଯାଇଛି । କୋଭିଡ୍ କାରଣରୁ ରାଜ୍ୟସଭାର ବୈଠକ ସକାଳ 10 ଟାରୁ 3 ଟା ଏବଂ ଲୋକସଭା ଅପରାହ୍ନ 4 ଟାରୁ 9 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ 31 ରୁ ଫେବୃଆରୀ 11 ପର୍ଯ୍ୟନ୍ତ ଚାଲିବ । ଏକ ମାସ ପରେ, ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 14 ରୁ ଆରମ୍ଭ ହୋଇ ଅପ୍ରେଲ 8 ପର୍ଯ୍ୟନ୍ତ ଚାଲିବ ।