ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ, ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ
PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ । ସାଂସଦ ଚରଣଜିତ ସିଂହ ଚନ୍ନି ଏକ ସ୍ୱାଧିକାର ଭଙ୍ଗ ନୋଟିସ କଂଗ୍ରେସ ପକ୍ଷରୁ ଲୋକସଭାରେ ଆଗତ କରିଛନ୍ତି । ବିଜେପି ସାଂସଦ ଅନୁରାଗ ଠାକୁର ଏବଂ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଗୃହରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜାତି ବିଷୟରେ ପଚାରିଥିଲେ। ଏହା ପରେ ବିରୋଧୀ ମାନେ ସଂସଦରେ ହଙ୍ଗାମା କରିଥିଲେ ।
ସେହିପରି ଅନୁରାଗ ଠାକୁରଙ୍କ ଉକ୍ତ ଜାତି ଭିତ୍ତିକ ବୟାନକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦି ନିଜ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଯାହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା ଏବଂ ମୋଦିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଛି ।

କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଅଭିଯୋଗ ଆଣିଛନ୍ତି ଯେ, ଲୋକସଭାରେ ବିଜେପି ସାଂସଦଙ୍କ ପକ୍ଷରୁ ଅନେକ ପ୍ରକାରର ଆପତ୍ତିଜନକ ବୟାନ ଦିଆଯାଇଥିଲା। ଏପରିକି ତାଙ୍କର କିଛି ମନ୍ତବ୍ୟକୁ ଗୃହ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ବିଜେପି ସାଂସଦଙ୍କ ପୂରା ଭାଷଣକୁ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି ଏପରି ପୋଷ୍ଟ କରି ସଂସଦର ସ୍ୱାଧିକାରକୁ ଭାଙ୍ଗିବା ଭଳି ପ୍ରସଙ୍ଗକୁ ଆହୁରି ଉତ୍ସାହିତ କରୁଛନ୍ତି ବୋଲି କଂଗ୍ରେସ ଦାବି କରିଛି । ସେହିପରି କଂଗ୍ରେସ ବରିଷ୍ଠ ନେତା ଜୟରାମ ମଧ୍ୟ ଅନୁରାଗ ଠାକୁରଙ୍କ ବୟାନର ନିନ୍ଦା କରିଛନ୍ତି ।
ଗୃହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିରୋଧୀ ମେଣ୍ଟ ଜାତି ଭିତ୍ତିକ ଜନଗଣନା କଥା କହୁଥିବାରୁ ଏହାକୁ ଅନୁରାଗ ଠାକୁର କଟାକ୍ଷ କରିଥିଲେ। ସେ କହିଥିଲେ ଯେଉଁମାନଙ୍କର ଜାତି ଜଣାନାହିଁ, ସେମାନେ ଜାତିଗତ ଜନଗଣନା କଥା କହୁଛନ୍ତି।' ହେସେ ନିଜ ବିବୃତ୍ତିରେ ସେ କାହାରି ନାଁ ନେଇ ନଥିଲେ।












Click it and Unblock the Notifications