ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଚିଠି
ଶୁକ୍ରବାର ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ସିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧି, ଲୋକସଭା ବିରୋଧୀ ଦଳର ନେତା ତଥା ସାଂସଦ ରାହୁଲ ଗାନ୍ଧି ଏବଂ ଅନ୍ୟ ଶୀର୍ଷ ନେତାଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଏହି ବୈଠକ ଡକାଯାଇଥିଲା। ତେବେ ଏଭଳି ବ୍ୟକ୍ତିତ୍ୱଙ୍କ ସ୍ମାରକ କିଭଳି ନିର୍ମାଣ ହୋଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।

କଂଗ୍ରେସ ସଭାପତି ଖଡଗେ ଏହି ଦାବି ନେଇ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇ ସ୍ୱର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ ପାଇଁ ଉପଯୁକ୍ତ ସ୍ଥାନ ପ୍ରଦାନ କରିବାକୁ ମଧ୍ୟ ଖଡଗେ ନିବେଦନ କରିଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିକୁ କଂଗ୍ରେସର ଆଧିକାରୀକ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ସୁଯୋଗ୍ୟ ସନ୍ତାନ ମନମୋହନ ସିଂହଙ୍କ ଶେଷକୃତ୍ୟ କେବଳ ସେହିଠାରେ କରାଯିବା ଉଚିତ, ଯେଉଁଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରାଯାଇପାରିବ।
ଉଲ୍ଲେଖ ଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ଗୁରୁବାର ରାତିରେ ଦେହାନ୍ତ କରିଛନ୍ତି। ଆଜି ଦିନ ତମାମ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ଆସନ୍ତାକାଲି ଶନିବାର ଦିନ ଦିଲ୍ଲୀର ଶକ୍ତି ସ୍ଥଳ ନିକଟରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ। ବର୍ତ୍ତମାନ ଡକ୍ଟର ସିଂହଙ୍କ ମୃତଦେହ ଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗରେ ଥିବା ତାଙ୍କ ବାସଭବନରେ ରଖାଯାଇଛି।
ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସାରା ଦେଶରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧ ନମିତ କରାଯାଇଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପଠାଯାଇଥିବା ଚିଠିରେ ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ରାଷ୍ଟ୍ରୀୟ ଶୋକ ପାଳନ ଅବଧିରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ।












Click it and Unblock the Notifications