ଜମ୍ମୁ ଓ କଶ୍ମୀରରେ କଂଗ୍ରେସ ଓ ଏନସି ମଧ୍ୟରେ ଆସନ ବୁଝାମଣା,ଜାଣନ୍ତୁ କିଏ ଲଢ଼ିବ କେତେ ଆସନରେ
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ଚଳିତବର୍ଷ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।
ଏହି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ଘୋଷଣା କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମଧ୍ୟରେ ଆଜି ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଛି। ଜମ୍ମୁ-କଶ୍ମୀରରେ କଂଗ୍ରେସ ୩୨ଟି ଓ ନ୍ୟାସନାଲ କନଫରେନ୍ସ ୫୧ଟି ଆସନରେ ନିର୍ବାଚନ ଲଢ଼ିବ। ଏହାବ୍ୟତୀତ ଦୁଇଟି ଆସନରେ ଅନ୍ୟ ସହଯୋଗୀ ଦଳର ପ୍ରାର୍ଥୀ ଙ୍କୁ ପ୍ରାର୍ଥୀ କରାଯିବ। ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମେଣ୍ଟ କରିଛନ୍ତି।
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଆସନ ବୁଝାମଣା ସମ୍ପର୍କରେ ରାଜ୍ୟ କଂଗ୍ରେସ ମୁଖ୍ୟ ତାରିକ୍ ହମିଦ କରରା କହିଛନ୍ତି- ".ଏନସି ୫୧, କଂଗ୍ରେସ ୩୨ ଏବଂ ଆମେ ୫ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ କିନ୍ତୁ ଶୃଙ୍ଖଳିତ ଭାବେ ଲଢ଼ିବାକୁ ରାଜି ହୋଇଛୁ। ଏହି ୮୮ଟି ଆସନ ବ୍ୟତୀତ ଆମେ ସିପିଆଇ(ଏମ୍)କୁ ୧ଟି ଓ ପାନ୍ଥର୍ସ ପାର୍ଟିକୁ ୧ଟି ଆସନ ଛାଡ଼ିଛୁ।

ଏନସି ବସ୍ ଫାରୁକ ଅବଦୁଲ୍ଲା କହିଛନ୍ତି, "ଏହା ଖୁସିର ମୁହୂର୍ତ୍ତ। ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ। ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା। ଏହା ଦ୍ୱାରା ଆମେ ସାଂପ୍ରଦାୟିକ, ବିଭେଦ ଓ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଲଢ଼ି ପାରିବୁ। ଆଜି ଆମେ ବୁଝାମଣା ଓ ସମନ୍ୱୟ ବେଶ ଭଲ ପରିବେଶରେ ଶେଷ କରିଛୁ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ଏକାଠି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
କଂଗ୍ରେସ ପକ୍ଷରୁ କେସି ଭେନୁଗୋପାଲ କହିଛନ୍ତି, "ଆମେ ଆମର ଆଲୋଚନା ଶେଷ କରିଛୁ ଓ ଗୋଟିଏ ଫର୍ମୁଲାରେ ପହଞ୍ଚିଛୁ। ଆମେ ଏକାଠି ଲଢ଼ିବୁ ଓ ଆମେ ଜମ୍ମୁ-କଶ୍ମୀରରେ ନିର୍ବାଚନ ଜିତିବୁ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପି ଜମ୍ମୁ-କଶ୍ମୀରର ଆତ୍ମାକୁ ଧ୍ୱଂସ କରିବାକୁ କରୁଥିବା ପ୍ରୟାସରେ ରୋକ ଲାଗିବ।"












Click it and Unblock the Notifications