ମେଣ୍ଟ ସରକାର ଦେଶକୁ ଦୁର୍ବଳ କରୁଛି, ବିକାଶରେ ବାଧକ ସାଜୁଛି:ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀଙ୍କ ଏକତା ବା ମେଣ୍ଟକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଧନଖଡ କହିଛନ୍ତି ଯେ, ମିଳିତ ସରକାର ବା ମେଣ୍ଟ ସରକାର ବିକାଶର ଚକ ଉପରେ ବ୍ରେକ୍ ଲଗାଇଛି ।ସେହିପରି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ 'ମନ୍ କି ବାତ'ର ପ୍ରଶଂସା କରି କହିଛନ୍ତି ଯେ, ଦେଶରେ ନକାରାତ୍ମକ ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ମୋଦିଙ୍କର ଏହି କାର୍ଯ୍ୟକ୍ରମ ବହୁତ ସାହାଯ୍ୟ କରିଛି ।
ଉପରାଷ୍ଟ୍ରପତି 'ମନ କି ବାତ'୧୦୦ଟି ଏପିସୋଡ ପୂରଣ ହେବା ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଧନକଡ ତାଙ୍କ ଅଭିଭାଷଣରେ ୨୦୧୪ବର୍ଷକୁ ଦେଶର ଇତିହାସ ପରିବର୍ତ୍ତନର ଏକ ଟର୍ଣ୍ଣିପଏଣ୍ଟ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ, ୩୦ ବର୍ଷ ପରେ ଦେଶରେ କୌଣସି ଗୋଟିଏ ଦଳର ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଥିଲା ।

ମେଣ୍ଟ ସରକାର ଦେଶର ବିକାଶ ଯାତ୍ରାରେ ବାଧା ସୃଷ୍ଟି କରିବା ସହ ଦୁର୍ବଳ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି । ୧୯୮୯ରେ କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ସେତେବେଳେ ସେ ମିଳିତ ସରକାରର ଦୁର୍ବଳତା ଅନୁଭବ କରିଥିଲେ ବୋଲି ସେ କହିଛନ୍ତି ।
'ମନ କି ବାତ' କାର୍ଯ୍ୟକ୍ରମକୁ ଅନନ୍ୟ ବୋଲି ବର୍ଣ୍ଣନା କରି ଉପରାଷ୍ଟ୍ରପତି କହିଛନ୍ତି ଯେ, ଏପରି ଉଦାହରଣ ଦୁନିଆର ଅନ୍ୟ କେଉଁଠାରେ
ଦେଖିବା ପାଇଁ ମିଳିବ ନାହିଁ । ଦେଶରେ ବ୍ୟାପିଥିବା ନକାରାତ୍ମକ ଚିନ୍ତାଧାରାକୁ ବଦଳାଇଛି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଉପରାଷ୍ଟ୍ରପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସର୍ବଦା ଏହି କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରେଇ ରଖିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ 'ମନ କି ବାତ' ଶତାବ୍ଦୀ ପୂରଣ କରିଛି ଏବଂ ଆଶା କରୁଛନ୍ତି ଯେ ସେ ଏହାର ଦ୍ୱିଶତକ ନିଶ୍ଚୟ ପୂରଣ କରିବେ।












Click it and Unblock the Notifications