ଭାରତ ସହ ବନ୍ଧୁତ୍ୱ ଭାଙ୍ଗି ହାତ ବଢାଇଲେ ଚୀନ୍ ରାଷ୍ଟ୍ରପତି; ଭାରତକୁ ପଠାଇଲେ ଶୁଭେଚ୍ଛା ବାର୍ତ୍ତା
ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଚୀନ୍ ଭାରତ ସହ ମିଶି କାମ କରିବାକୁ ପ୍ରସ୍ତୁତ ବୋଲି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମଙ୍ଗଳବାର କହିଛନ୍ତି । ଭାରତ ଓ ଚୀନ୍ ମିଳିତ ସଫଳତାରେ ଅଂଶୀଦାର ହେବା ହିଁ ଶ୍ରେଷ୍ଠ ପନ୍ଥା ବୋଲି ସେ କହିଛନ୍ତି। ୨୦୨୦ରେ ପୂର୍ବ ଲଦାଖରେ ସାମରିକ ବିବାଦ ଯୋଗୁଁ ଚାରି ବର୍ଷ ଧରି ତିକ୍ତ ଥିବା ସମ୍ପର୍କ ଏବେ ସୁଧୁରିବାରେ ଲାଗିଥିବା ବେଳେ ଚୀନ୍ ରାଷ୍ଟ୍ରପତି ଏହି ମନ୍ତବ୍ୟ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଜିନ୍ପିଙ୍ଗ୍ କହିଛନ୍ତି, ଭାରତ-ଚୀନ୍ ସମ୍ପର୍କ 'ଡ୍ରାଗନ୍-ହାତୀ ନୃତ୍ୟ'ର ରୂପ ନେବା ଉଚିତ।

ସୂଚନାଯୋଗ୍ୟ, ଡ୍ରାଗନ୍କୁ ଚୀନ୍ର ପ୍ରତୀକ ଏବଂ ହାତୀକୁ ଭାରତର ପ୍ରତୀକ ବୋଲି ବିବେଚନା କରାଯାଏ। ଜିନ୍ପିଙ୍ଗ୍ କହିଛନ୍ତି, ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ରଣନୈତିକ ଉଚ୍ଚତାକୁ ନେବା ଉଚିତ ଏବଂ ପାରସ୍ପରିକ ବିଶ୍ୱାସ ଓ ପାରସ୍ପରିକ ଲାଭ ପାଇଁ ମିଳିତ ଭାବେ କାମ କରିବା ଏବେ ସମୟର ଆହ୍ବାନ। ବହୁଧ୍ରୁବୀ ବିଶ୍ୱରେ ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ଦେଶର ପ୍ରୟାସ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଚୀନ୍ ରାଷ୍ଟ୍ରପତି କହିଛନ୍ତି।
କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଅବସରରେ ଜିନ୍ପିଙ୍ଗ୍ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ପ୍ରମୁଖ ଆନ୍ତର୍ଜାତିକ ବ୍ୟାପାର ଉପରେ ଆଲୋଚନା ବୃଦ୍ଧି କରିବା ଏବଂ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ସେ ରାଷ୍ଟ୍ରପତି ମୁର୍ମୁଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଦୁଇ ଦେଶ ବିଶ୍ୱ ଶାନ୍ତି ଓ ସମୃଦ୍ଧିରେ ଯୋଗଦାନ ଦେବା ଉପରେ ମଧ୍ୟ ଜିନ୍ପିଙ୍ଗ୍ ଗୁରୁତ୍ୱାରୋପ କରିଛନ୍ତି।
ଭାରତ ଓ ଚୀନ୍କୁ ପ୍ରାଚୀନ ସଭ୍ୟତା ବୋଲି ବର୍ଣ୍ଣନା କରି ଜିନ୍ପିଙ୍ଗ୍ କହିଛନ୍ତି ଯେ ଉଭୟ ଦେଶ ପ୍ରମୁଖ ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀକୁ ଭାରତ-ଚୀନ୍ ସମ୍ପର୍କର ଦୃଢ଼ୀକରଣ ଏବଂ ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବାର ସୁଯୋଗ ଭାବେ ଗ୍ରହଣ କରିବାକୁ ଜିନ୍ପିଙ୍ଗ୍ ରାଷ୍ଟ୍ରପତି ମୁର୍ମୁଙ୍କୁ ପ୍ରସ୍ତାବ ଦେଇଛନ୍ତି।












Click it and Unblock the Notifications