ବାୟୁସେନାରେ ଚୀନ୍ ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ
ଶକ୍ତିଶାଳୀ ବାୟୁସେନା ପ୍ରସଙ୍ଗରେ ରୁଷ୍କୁ ପଛରେ ପକାଇ ଚୀନ୍ ବିଶ୍ବରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାୟୁସେନା ଆମେରିକା ନିକଟରେ ରହିଛି। ଆମେରିକା ପଛକୁ ରୁଷ୍ ଦ୍ବିତୀୟ ସ୍ଥାନରେ ଥିଲା। ତେବେ ବର୍ତ୍ତମାନ ଚୀନ୍ ଦ୍ବିତୀୟ ସ୍ଥାନ ହାସଲ କରିଛି। ବାୟୁସେନା ଶକ୍ତିବୃଦ୍ଧି ନିମନ୍ତେ ଦ୍ରୁତ ପଦକ୍ଷେପ, ବିଭିନ୍ନ ଯୁଦ୍ଧବିମାନର ଘରୋଇ ଉତ୍ପାଦନ ଓ ନୂତନ ଜ୍ଞାନକୌଶଳ ବ୍ୟବହାର ଫଳରେ ରୁଷ୍କୁ ପଛରେ ପକାଇ ଚୀନ୍ ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ବାୟୁସେନା ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛି ।

ଆମେରିକା ପଛକୁ ଥିବା ଚୀନ୍ ନିକଟରେ ଅଧିକ ସଂଖ୍ୟକ ଅତ୍ୟାଧୁନିକ ଯୁଦ୍ଧବିମାନ ରହିଛି। ଚୀନ୍ ବାୟୁସେନା ନିକଟରେ ମୋଟ୍ ୩ ହଜାର ୭୩୩ଟି ବିଭିନ୍ନ ପ୍ରକାର ବିମାନ ଥିବା ବେଳେ ସେଥିମଧ୍ୟରେ ପାଖାପାଖି ଅଢ଼େଇ ହଜାର ଲଢ଼ୁଆ ବିମାନ ଥିବା ଜଣାପଡ଼ିଛି। ନିଜ ବାୟୁସେନାର ଶକ୍ତିବୃଦ୍ଧି ପାଇଁ ଚୀନ୍ ତରଫରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଚୀନ୍ ନିଜ ସାମରିକ ଶକ୍ତିର ଆଧୁନିକୀକରଣ ଜାରି ରହିଛି। ଯୁଦ୍ଧ ବିମାନ ଉତ୍ପାଦନ ସଂଖ୍ୟା ଚୀନ୍ ବଢ଼ାଇଥିବା ବେଳେ ଏଥିରେ ଅନେକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରହିଛି।ଏସବୁ ବିମାନରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି। ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ନିଜ ସାମରିକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ଚୀନ୍ ବାୟୁସେନାଙ୍କୁ ଅଧିକ ଗୁରୁତ୍ବ ଦେଉଛି। ବାୟୁସେନାର ଶକ୍ତି ବୃଦ୍ଧି କରି ଚୀନ୍ ନିଜକୁ ଏହି ଅଞ୍ଚଳରେ ସବୁଠାରୁ ଶକ୍ତିଶାଳୀ ଭାବେ ପ୍ରମାଣିତ କରିବାକୁ ଚାହୁଁଛି। ତାଇୱାନ, ଦକ୍ଷିଣ ଚୀନ୍ ସାଗର, ଜାପାନ ଓ ପଶ୍ଚିମ ପାସିଫିକ୍ ଅଞ୍ଚଳ ଆଦିରୁ ଚୀନ୍ ପ୍ରତି ବିପଦ ଥିବାରୁ ଏହାର ମୁକାବିଲା ପାଇଁ ଚୀନ୍ ନିଜ ବାୟୁସେନା ଶକ୍ତି ବୃଦ୍ଧି କରୁଛି।ଅନ୍ୟପକ୍ଷରେ ରୁଷ୍ ନିକଟରେ ୧୩ଶହରୁ ୧୫ଶହ ପର୍ଯ୍ୟନ୍ତ ଲଢ଼ୁଆ ଯୁଦ୍ଧ ବିମାନ ଥିବା ଜଣାପଡ଼ିଛି। ଗତ କିଛିବର୍ଷ ହେବ ରୁଷ୍ ଅଧିକ ସଂଖ୍ୟକ ଯୁଦ୍ଧ ବିମାନ ନିର୍ମାଣ କରୁନଥିବା ଓ ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁଁ ଏହାର ଏକାଧିକ ବିମାନ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି। ଭାରତୀୟ ବାୟୁସେନା ନିକଟରେ ୧୭ ଶହରୁ ୧୯ ଶହ ବିମାନ ରହିଥିବା ଜଣାପଡ଼ିଛି। ଏଥିରେ ଲଢ଼ୁଆ ବିମାନ, ପରିବହନକାରୀ ବିମାନ, ହେଲିକପ୍ଟର ଆଦି ସାମିଲ ରହିଛି। ଭାରତ ନିକଟରେ ୫୦୦ରୁ ଊର୍ଦ୍ଧ୍ବ ଲଢ଼ୁଆ ବିମାନ ଥିବା ୱାର୍ଲ୍ଡ ଡାଇରେକ୍ଟୋରି ଅଫ୍ ମଡର୍ଣ୍ଣ ମିଲିଟାରୀ ଏୟାରକ୍ରାଫ୍ଟର ଏକ ରିପୋର୍ଟରେ ଦର୍ଶାଯାଇଛି।












Click it and Unblock the Notifications