ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ବଡ଼ ମନ୍ତବ୍ୟ, ସାରା ଦେଶରେ ନିଷେଧ ହେଉ ବାଣ
ଦିଲ୍ଲୀ-ଏନସିଆର ଭଳି ସମଗ୍ର ଦେଶରେ ବାଣ ତିଆରି ଓ ଫୁଟାଇବା ବ୍ୟାନ କରିବା ସପକ୍ଷରେ ସୁପ୍ରିମକୋର୍ଟ। ଦେଶର ଅନ୍ୟ ସହରଗୁଡ଼ିକ ସାଂଘାତିକ ପ୍ରଦୂଷଣର ସାମ୍ନା କରୁଥିବା ବେଳେ ବାଣ ବ୍ୟାନ ନିଷ୍ପତ୍ତି କେବଳ ଦିଲ୍ଲୀ-ଏନସିଆରରେ କାହିଁକି ଲାଗୁ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।
ଦିଲ୍ଲୀ-ଏନସିଆରରେ ବର୍ଷ ତମାମ ବାଣ ତିଆରି ଓ ଫୁଟାଇବା ଉପରେ ରୋକ ଲଗା ଯାଇଥିବାରୁ ଏହା ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ମତ ରଖିଛନ୍ତି ଯେ ଯଦି ଏନସିଆରର ଲୋକମାନେ ବିଶୁଦ୍ଧ ବାୟୁ ପାଇଁ ହକଦାର, ତା'ହେଲେ ଅନ୍ୟ ସହରର ଲୋକମାନେ କାହିଁକି ଏହା ପାଇବେ ନାହିଁ? ଯଦି ବାଣ ଉପରେ କୌଣସି ନୀତି ପ୍ରଣୟନ ହେବ, ତା'ହେଲେ ଏହା ସମଗ୍ର ଦେଶରେ ଲାଗୁ ହେବ।

ଆମେ କେବଳ ଦିଲ୍ଲୀ ପାଇଁ ନୀତି ଆଣିପାରିବୁ ନାହିଁ। ଦିଲ୍ଲୀର ଲୋକମାନେ ଦେଶର ଆଭିଜାତ୍ୟ ସମ୍ପନ୍ନ ନାଗରିକ ହୋଇଥିବାରୁ କେବଳ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ଅଣାଯାଇ ପାରିବ ନାହିଁ। ଗତ ଶୀତ ଋତୁରେ ମୁଁ ଅମୃତସରରେ ରହିଥିଲି। ସେଠାକାର ପ୍ରଦୂଷଣ ଦିଲ୍ଲୀ ଠାରୁ ବି ଭୟଙ୍କର। ଯଦି ବାଣ ବ୍ୟାନ କରାଯିବ, ତା'ହେଲେ ସମଗ୍ର ଦେଶରେ ଏହା ନିଷେଧ ହେବ ବୋଲି ଜଷ୍ଟିସ ଗବାଇ କହିଛନ୍ତି।
ବରିଷ୍ଠ ଆଡଭୋକେଟ୍ଅ ପରାଜିତା ସିଂହ ଏହି ଯୁକ୍ତିକୁ ସମର୍ଥନ କରି ମନ୍ତବ୍ୟ ଦେଇଛନ୍ତି ଯେ, ଆଭିଜାତ୍ୟ ଲୋକମାନେ ନିଜର ଯତ୍ନ ନିଅନ୍ତି। ଯେତେବେଳେ ପ୍ରଦୂଷଣ ହୁଏ ସେମାନେ ଦିଲ୍ଲୀ ବାହାରକୁ ଚାଲିଯାଆନ୍ତି। ବାଣ ଉପରେ ଦେଶବ୍ୟାପୀ ନିଷେଧାଦେଶ ଦାବି କରି ହୋଇଥିବା ଆବେଦନ ଉପରେ ଖଣ୍ଡପୀଠ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)କୁ ନୋଟିସ୍ ଜାରି କରିଛନ୍ତି। ଦୀପାବଳି ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପର୍ଯ୍ୟବେକ୍ଷଣ ଆସିଛି, ଯେତେବେଳେ ଆତସବାଜି ଓ ନଡ଼ା ପୋଡ଼ିବା କାରଣରୁ ଉତ୍ତର ଭାରତର ଅଧିକାଂଶ ଭାଗରେ ବାୟୁର ଗୁଣବତ୍ତା ଖରାପ ହୋଇଯାଏ।
ଦିଲ୍ଲୀ ଓ ସମ୍ପ୍ରସାରିତ ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା, କେତେକ ଏନ୍ସିଆର ଉପକଣ୍ଠରେ ସୀମିତ ଅନୁମତି ସହିତ ବିକ୍ରୟ ଓ ସଂରକ୍ଷଣ ଉପରେ କଠୋର ନିୟମ ଏବଂ ଦୀପାବଳି ପୂର୍ବରୁ କର୍ତ୍ତୃପକ୍ଷ ବାଣ ଉପରେ କଟକଣା ଜାରି କରିଥାନ୍ତି। ଯଦି ସର୍ବୋଚ୍ଚ ନ୍ୟାୟାଳୟ ଦେଶବ୍ୟାପୀ ନିଷେଧାଦେଶ ପାଇଁ ଆବେଦନକୁ ଗ୍ରହଣ କରନ୍ତି, ତେବେ ଏନ୍ସିଆର ଭଳି ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ସାରା ଭାରତର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇପାରେ। ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ବାଣ ପ୍ରସ୍ତୁତି, ବିକ୍ରୟ, ସଂରକ୍ଷଣ ଓ ବାଣ ଫୁଟାଇବା ପାଇଁ ଜରିମାନା ହୋଇପାରେ।












Click it and Unblock the Notifications