ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ୩ ନକ୍ସଲ ନିପାତ
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିପାତ । ଛତିଶଗଡ଼ର ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ମଧ୍ୟରେ ଏହା ଘଟିଛି । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।
ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।
ନିହତ ନକ୍ସଲଙ୍କ ମଧ୍ୟରେ ଦରଭା ଡିଭିଜିନର ଏଲଓସି କମାଣ୍ଡର ରହିଥିବା ଜଣାପଡ଼ିଛି । ସମସ୍ତ ୩ ନକ୍ସଲଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।
ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ଡିଆରଜି, ସିଆରପିଏଫ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।

ସେହିପରି ଆଜି କମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଏଥିରେ 2 ଏସ୍ଓଜି ଯବାନ୍ ଆହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ କମ୍ବିଂ ଅପରେସନ ଘଟିଛି ଏଭଳି ଅଘଟଣ ।
ଏସଓଜି ଯବାନ୍ ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୂର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଏସଓଜି ଯବାନଙ୍କର ଆଖିରେ ଆଘାତ ଲାଗିଥିବା ବେଳେ, ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି ।
କିଛି ଦିନ ହେଲା ମାଓବାଦୀମାନେ ସର୍ଲା ଜଙ୍ଗଲରେ କ୍ୟାମ୍ପ କରି ରହି ଆସୁଥିଲେ । କନ୍ଧମାଳ ଏସପି ସୂଚନା ପାଇ କମ୍ବିଂ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳେ ନକ୍ସଲ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।
ଆହତ ଯବାନଙ୍କୁ ଉଦ୍ଧାର ପରେ ବାଲିଗୁଡ଼ା ଡାକ୍ତରଖାନାକୁ ପଠାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ପଠାଯିବା ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଜଙ୍ଗଲରେ ମାଓବାଦୀଙ୍କର ଏକ ବଡ଼ ଗ୍ରୁପ୍ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ମାଓବାଦୀଙ୍କୁ ନିପାତ କରିବା ଲାଗି ଜୋରଦାର ଅପରେସନ ଜାରି ରହିଥିବା କନ୍ଧମାଳ ଏସ୍ପି ସୂଚନା ଦେଇଛନ୍ତି ।












Click it and Unblock the Notifications