'ଦେଶରେ ଗତ ୧୦ବର୍ଷରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର'
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି । ଗୁଜରାଟର ମେହସାଣା ଜିଲ୍ଲାର ଗୋଜାରିଆଠାରେକେ.କେ. ପଟେଲ୍ ଏବଂ ମଧୁବେନ୍ କେ. ପଟେଲ୍ ନର୍ସିଂ କଲେଜର ନବନିର୍ମିତ କୋଠାକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ଏହି ନର୍ସିଂ କଲେଜରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ଥିବାରୁ ନିକଟବର୍ତ୍ତୀ ଗ୍ରାମର ଗରିବ ରୋଗୀମାନେ ଉପକୃତ ହୋଇପାରିବେ ।
ସେ କହିଛନ୍ତି, ଦେଶର ୬୦ କୋଟି ନାଗରିକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ୍ ହୋଇ ଲାଭାନ୍ୱିତ ହୋଇପାରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଏମ୍ସ୍ ସଂଖ୍ୟା ୭ରୁ ୨୩କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଶାହା କହିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଥିବା ଶ୍ରୀ ଶାହା ଅହମ୍ମଦାବାଦ ଏବଂ ମେହଶାଣାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡ଼ିକ ପାଇଁ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏକ ନୂଆ ନୀତି ପ୍ରସ୍ତୁତି ନେଇ ଘୋଷଣା କରିଛନ୍ତି ।
ଅହମ୍ମଦାବାଦର ସାଇନ୍ସ ସିଟିଠାରେ ଗୁଜରାଟ ରାଜ୍ୟ ସମବାୟ ସଂଘ ଦ୍ୱାରା ଆୟୋଜିତ ସମବାୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି । ପ୍ୟାକ୍ସର ପୁନରୁଦ୍ଧାର ଦ୍ୱାରା ଦେଶର ସମବାୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ସରକାରଙ୍କ ପ୍ରତିବଦ୍ଧତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି ।

ଆସନ୍ତା ୨୦୨୯ ସୁଦ୍ଧା ଦେଶର ପ୍ରତ୍ୟେକ ପଞ୍ଚାୟତରେ ପ୍ୟାକ୍ସ ପ୍ରତିଷ୍ଠା କରିବା ନେଇ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ଉପରେ ଶ୍ରୀ ଶାହା ଏହି ଅବସରରେ ଆଲୋକପାତ କରିଛନ୍ତି । ଏଭଳି ପଦକ୍ଷେପ ଦ୍ୱାରା ସମବାୟ ଜମାପୁଞ୍ଜିରେ ୧୧ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି ବୋଲି ସେକହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୮ଶହ ସମବାୟ ସମିତିର ପ୍ରତିନିଧିତ୍ୱ କରୁଥିବା ୪ ହଜାରରୁ ଅଧିକ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତି ।












Click it and Unblock the Notifications