ଖୋଲିଲା ବଦ୍ରିନାଥ ମନ୍ଦିର, ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା
ଚମୋଲି: ତୁଷାରପାତ ମଧ୍ୟରେ ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାରେ ଅବସ୍ଥିତ ବଦ୍ରିନାଥ ଧାମର କବାଟ ଖୋଲାଯାଇଛି । ଗୁରୁବାର ସକାଳ ୭.୧୦ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ଭକ୍ତଙ୍କ ପାଇଁ ଖୋଲିଛି ମନ୍ଦିର । ଏହି ସମୟରେ ବହୁ ସଂଖ୍ୟାରେ ଭକ୍ତ ବାବା ବଦ୍ରିନାଥଙ୍କୁ ଦର୍ଶନ କରିବା ପାଇଁ ପହଁଞ୍ଚିଥିଲେ । କବାଟ ଖୋଲିବା ପୂର୍ବରୁ ଉପରୁ ହେଲିକପ୍ଟରରୁ ଭକ୍ତଙ୍କ ଉପରେ ଫୁଲର ବର୍ଷା କରାଯାଇଥିଲା । ଏହି ମନ୍ଦିରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି।
ପ୍ରବଳ ତୁଷାର ପାତ ସତ୍ୱେ ଭକ୍ତଙ୍କର ଭିଡ ଦେଖିବା ପାଇଁ ମିଳିଥିଲା । ଜୟ ଜୟକାର ଧ୍ୱନି ମଧ୍ୟରେ ଖୋଲାଯାଇଥିଲା ବଦ୍ରିନାଥଙ୍କ କବାଟ । ସେହିପରି ଆଇଟିବିପି ବ୍ୟାଣ୍ତ ଓ ଗଡୱାଲ୍ ସ୍କାଉଟ୍ସର ଟିମ୍ ଉପସ୍ଥିତ ରହି ବ୍ୟାଣ୍ତ ବାଜା ବଜାଇଥିଲେ । ବର୍ତ୍ତମାନ ଆସନ୍ତା ୬ ମାସ ପାଇଁ ବଦ୍ରିନାଥଙ୍କ ଦର୍ଶନ କରିପାରିବେ ଭକ୍ତ ।

କବାଟ ଖୋଲିବା ମାତ୍ରେ ବଦ୍ରିନାଥ ଧାମର ମୁଖ୍ୟ ପୁରୋହିତ ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଚଳିତ ବର୍ଷ ମଧ୍ୟ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ଖୋଲିବା ମାତ୍ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଭୁଙ୍କର ପ୍ରଥମ ପୂଜା ଓ ଆରତୀ କରାଯାଇଥିଲା । ବଦ୍ରି କେଦାର ମାଣ୍ଡି କମିଟିର ଉପାଧ୍ୟକ୍ଷ କିଶୋର ପାୱାର କହିଛନ୍ତି ଯେ, ଦେଶର ସୁଖ, ସମୃଦ୍ଧତା ଏବଂ ପ୍ରଗତି ପାଇଁ ପ୍ରତିବର୍ଷ ବଦ୍ରି ନାରାୟଣଙ୍କ ପ୍ରଥମ ପୂଜା ଦେଶର ପ୍ରଧାନମନ୍ତ୍ରୀଙ୍କ ନାମରେ କରାଯାଇଥାଏ।












Click it and Unblock the Notifications